ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ପହଞ୍ଚିନି ବିଜୁଳି ଆଲୁଅ, ଡିବିରି ଆଲୁଅ ଭରସାରେ ବିତୁଛି ଜୀବନ ।

53

କନକ ବ୍ୟୁରୋ : ଅନ୍ଧାରୀ ମୁଲକ ଇନ୍ଦିରା କଲୋନୀ । କେନ୍ଦୁଝର ଯୋଡା ଅନ୍ତର୍ଗତ ଦେଓଝର ପଂଚାୟତର ଆଦିବାସୀବହୁଳ ଗାଁ ଗୋବର୍ଦ୍ଧନପୁରର ଇନ୍ଦିରା କଲୋନୀରେ ବାସ କରନ୍ତି ୬୦ପରିବାର । ହେଲେ, ଏବେବି ଗାଁର ଲୋକମାନେ ଦେଖି ନାହାଁନ୍ତି ବିଜୁଳି ଆଲୁଅ । ଅନ୍ଧାର ଯୋଗୁଁ ରାତି ହେଲେ ହାତୀ ଉପଦ୍ରବରେ ଆତଙ୍କିତ ହୋଇ ଉଠନ୍ତି ଲୋକେ । ପାନୀୟ ଜଳର ମଧ୍ୟ ଅସୁବିଧା ମଧ୍ୟ ରହିଛି ଏହି ଗାଁରେ । ସମସ୍ୟା ତ ଅନେକ, ହେଲେ ସମାଧାନ ପାଇଁ ନାହିଁ କାହାର ଆନ୍ତରିକତା ।

କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଦେଓଝର ପଂଚାୟତର ଗୋବର୍ଦ୍ଧନପୁର ଇନ୍ଦିରାକଲୋନୀ । ଖଣି ଖାଦାନ ଭରା ଇନ୍ଦିରା କଲୋନୀରେ ରହିଛି ଅନେକ ସମସ୍ୟା । ଗାଁରେ ବିଜୁଳି ଖୁଂଟ ପଡିଛି । ହେଲେ ତାର ଟଣା ଯାଇ ନଥିବାରୁ ବିଜୁଳି ଆଲୁଅରୁ ବଂଚିତ ଅଛନ୍ତି ଗାଁ ଲୋକେ । ରାତି ହେଲେ ଡିବିରି ଆଲୁଅ ହିଁ ଭରସା । ବଣ ଜଙ୍ଗଲ ଘେରା ଏହି ଗାଁରେ ସଂଜ ହେଲେ ମାଡିଆସେ ଅନ୍ଧାର । ଆଉ ରାତି ହେଲେ ଏଠି ହାତୀ ଭୟରେ ଆତଙ୍କିତ ହୋଇ ଉଠନ୍ତି ଗ୍ରାମବାସୀ ।

ଖାଲି ବିଦ୍ୟୁତ୍ ନୁହେଁ ଗାଁରେ ବି ରହିଛି ପାନୀୟ ଜଳ ସମସ୍ୟା । ପିଇବା ପାଣି ପାଇଁ ୨ କିଲୋମିଟର ଦୂରରେ ଥିବା ନଳକୂପ ଉପରେ ପାଣି ପାଇଁ ନିର୍ଭର କରିଥାନ୍ତି ସ୍ଥାନୀୟ ବାସିନ୍ଦା । ଖଣି ଖାଦାନ ଘେରା ଇନ୍ଦିରାକଲୋନୀର ବାସିନ୍ଦା ଏହିସବୁ କାରଖାନାରେ କାମ କରି ପେଟ ପୋଷନ୍ତି । ହେଲେ ନିଜ ସମସ୍ୟା କାହାକୁ ଜଣାଇବେ ସେକଥା ବି ଜାଣିନାହାନ୍ତି ଏହି ଖଟିଖିଆ ନୀରିହ ମଣିଷମାନେ ।

ତେବେ ଇନ୍ଦିରା କଲୋନୀର ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି ।ତେବେ ଏଠାରେ ପ୍ରଶ୍ନ ଉଠୁଛି ଡିଏମଏଫ୍ ପାଣ୍ଠିରେ ଜମା ହେଉଛି କୋଟି କୋଟି ଟଙ୍କାର ରାଜସ୍ୱ । କିନ୍ତୁ ଯେଉଁମାନଙ୍କ ବିକାଶ ପାଇଁ ଏହି ପାଣ୍ଠିର ସୃଷ୍ଟି ସେମାନେ କାହିଁକି ଅବହେଳିତ ?