ବିମାନବନ୍ଦରରେ ଇ-ଭିସା ରିଡିଂ ମେସିନ୍‌ ନାହିଁ ! ହଇରାଣ ହେଉଛନ୍ତି କ୍ରୀଡ଼ାବିତ୍‌

17

କନକ ବ୍ୟୁରୋ : ଭୁବନେଶ୍ୱର ବିମାନବନ୍ଦରରୁ ଆନ୍ତର୍ଜାତିକ ଉଡ଼ାଣ ଆରମ୍ଭ ହୋଇଥିଲେ ବି ଏଠାରେ ଏପର୍ଯ୍ୟନ୍ତ ସର୍ବନିମ୍ନ ସୁବିଧା ଉପଲବ୍ଧ ହୋଇ ନାହିଁ । ଇ-ଭିସା ରିଡିଂ ମେସିନ୍‌ ବିମାନବନ୍ଦରରେ ନାହିଁ । ଫଳରେ ଏଠାରେ ଇ-ଭିସା ଗ୍ରହଣ କରାଯାଉ ନାହିଁ । ଏଥି ପାଇଁ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ବିଦେଶରୁ ଆସୁଥିବା କ୍ରୀଡ଼ାବିତ୍‌ ଓ ପ୍ରତିନିଧିମାନେ ସମସ୍ୟା ଭୋଗୁଛନ୍ତି । ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଆଜି ମୁଖ୍ୟ ଶାସନ ସଚିବ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି ।

ଯେଉଁ ବିଦେଶୀ କ୍ରୀଡ଼ାବିତ୍‌ ଓ ପ୍ରତିନିଧି ଇ-ଭିସା ଆଣୁଛନ୍ତି, ସେମାନଙ୍କୁ ଭୁବନେଶ୍ୱର ବିମାନବନ୍ଦରରୁ ଫେରାଇ ଦିଆଯାଉଛି । ସେମାନେ ନିଜ ଦେଶରୁ ଆସି ଭାରତର ଯେଉଁ ବିମାନବନ୍ଦରରେ ସିଧାସଳଖ ଓହ୍ଲାଉଛନ୍ତି, ସେଠାକୁ ଯାଇ ସେମାନେ ପୁନର୍ବାର ଫେରି ଇମିଗ୍ରେସନ୍‌ କାମ ସାରିବାକୁ ପଡ଼ୁଛି । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଥଲେଟିକ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ(ଏଏଫଆଇ)କୁ କୁହାଯାଇଛି । ବିଭିନ୍ନ ଦେଶର ଟିମକୁ ଏଏଫଆଇ ପକ୍ଷରୁ ଏ ନେଇ ପରାମର୍ଶ ଦିଆଯାଇଛି ।

ଏହା ସତ୍ତ୍ୱେ କିଛି ଅଂଶଗ୍ରହଣକାରୀ ଇ-ଭିସା ନେଇ ସିଧାସଳଖ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଶଙ୍କା ପ୍ରକାଶ କରିଛନ୍ତି । ଏପରି ସ୍ଥଳେ ସେହି ପ୍ରତିନିଧିମାନେ ପୁନର୍ବାର ମୂଳ ବିମାନବନ୍ଦରକୁ ଫେରିବା ସେମାନଙ୍କ ପକ୍ଷେ କଷ୍ଟଦାୟକ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ତେଣୁ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ଅଂଶଗ୍ରହଣକାରୀ ଟିମ୍‌ର ସୁବିଧା ପାଇଁ ତୁରନ୍ତ ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିସା ରିଡିଂ ମେସିନ୍‌ ସ୍ଥାପନ କରିବା ପାଇଁ ‘ବ୍ୟୁରୋ ଅଫ୍‌ ଇମିଗ୍ରେସନ୍‌’କୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପାଢ଼ୀ ଅନୁରୋଧ କରିଛନ୍ତି ।