ମଦୁଆଙ୍କୁ ସାବାଡ କରିବା ପାଇଁ ଓଡିଶା ପୋଲିସର ଅଭିନବ ପ୍ରୟାସ । ଟ୍ୱିଟରରେ ସେୟାର କଲା ମଦୁଆଙ୍କ ଅସଲ ରୂପ

59

କନକ ବ୍ୟୁରୋ : ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚଳାଉଥିବା ବେଳେ ହେଉଥିବା ସଡକ ଦୁର୍ଘଟଣା ରୋକିବାକୁ ଓଡିଶା ପୋଲିସର ନୂଆ ପ୍ରୟାସ । ଖାସକରି ଯେଉଁମାନେ ରାତିରେ ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚଳାଉଛନ୍ତି ସେମାନଙ୍କୁ ସାବାଡ କରିବାକୁ ରାଜ୍ୟ ପୋଲିସ ସୋସିଆଲ ମିଡିଆର ସହାୟତା ନେଇଛି । ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚଳାଉଥିବା ବେଳେ ପୋଲିସ ଚେକିଂରେ ଧରାପଡିବା ବେଳେ ଯୁବକ କିପରି କାକୁତି ମିନତି ହୁଅନ୍ତି ତାହାର ଏକ ଫଟୋ ଟ୍ୱିଟର ପେଜରେ ସେୟାର କରିଛି ଓଡିଶା ପୋଲିସ ।


କିଛି ମୁହୂର୍ତ୍ତର ଆନନ୍ଦ ପାଇଁ ଯୁବକ ମାନେ ସର୍ବସାଧାରଣ ସ୍ଥାନରେ ସାଙ୍ଗ ମାନଙ୍କ ସହ ମିଶି ମଦ ପିଇଥାନ୍ତି । କିନ୍ତୁ ମଦ ପିଇ ବାହାରକୁ ବାହାରିବା ପରେ ପୋଲିସ ଚେକିଂରେ ଧରା ପଡିବା ପରେ ବିଭିନ୍ନ ବାହାନା କରିଥାନ୍ତି ଏହି ମଦ୍ୟପ ଯୁବକମାନେ । ଏପରିିକି ସାର୍, ଆଉ ଭୁଲ ହେବନିର ଡାଇଲଗ ଅଧିକାଂଶ ଯୁବକ ମାନଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ । ଯାହାର ଏକ ବ୍ୟଙ୍ଗାତ୍ମକ ଚିତ୍ର ଓଡିଶା ପୋଲିସ ଟ୍ୱିଟର ପେଜରେ ସେୟାର କରିଛି । ଏହାଛଡା ଦାୟିତ୍ୱବାନ ଜନସାଧାରଣଙ୍କ ସହାୟତା ଲୋଡିଛି ପୋଲିସ । ଯଦି ଆପଣଙ୍କ ନଜରରେ ସର୍ବସାଧାରଣରେ ମଦ ପିଇ ଯୁବକ ମାନେ ବିଶୃଙ୍ଖଳା ସୃଷ୍ଟି କରୁଥାନ୍ତି ତେବେ ଏହାର ରିପୋର୍ଟ ଦେବାକୁୂ ନିବେଦନ କରିଛି ପୋଲିସ ।

ଟ୍ୱିଟର ମାଧ୍ୟମରେ ନିଜ ସହରକୁ ସ୍ୱଚ୍ଛ ରଖିବା ସହ ସ୍ମାର୍ଟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛି ରାଜ୍ୟ ପୋଲିସ । ସର୍ବସାଧାରଣ ସ୍ଥାନରେ ମଦ ପିଇବାକୁ ରୋକିବାକୁ ରାଜ୍ୟ ପୋଲିସର ଏହି ନିଆରା ପ୍ରୟାସକୁ ସାଧାରଣ ଲୋକମାନେ ମଧ୍ୟ ବେଶ ପସନ୍ଦ କରିଛନ୍ତି । ଯଦି ଆମେ ଏକ ରିପୋର୍ଟ ଉପରେ ନଜର ପକାଇବା ତେବେ ଦେଶରେ ପ୍ରତିବର୍ଷ ୧.୩୪ ଲକ୍ଷ ଲୋକ ସଡକ ଦୁର୍ଘଟଣାର ଶିକାର ହୁଅନ୍ତି ।ଆଉ ଏଥିରୁ ୭୦% ସଡକ ଦୁର୍ଘଟଣା ମଦ ପାଇଁ ହୋଇଥାଏ । ଯଦି ରାଜ୍ୟ କଥା ଦେଖିବା ତେବେ ୨୦୧୫ରେ ମଦ୍ୟପାନ କରି ଗାଡି ଚଳାଇବା ନେଇ ୯୭୨ଟି ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ୪୨୭ ଜଣଙ୍କର ମୃତ୍ୟୁ ହୋଇଛି । ତେଣୁ ଓଡିଶା ପୋଲିସ ଯେଉଁ ନୂଆ ଅଭିଯାନ ଆରମ୍ଭ କରିଛି ତାହା ସଡକ ଦୁର୍ଘଟଣା ରୋକିବା ସହ ରାଜରାସ୍ତାରେ ମଦୁଆଙ୍କ ଦୌରାତ୍ମ କମାଇବ ନିଶ୍ଚୟ ।