ପୁଣି ଚର୍ଚ୍ଚାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ! ନୂଆ ମୁଖ୍ୟ ନୀରିକ୍ଷକଙ୍କ ବିବାଦୀୟ ବୟାନ, ଛାତ୍ରୀଙ୍କ ଡ୍ରେସକୋର୍ଡ ଓ କ୍ୟାମ୍ପସରେ ମଦ୍ୟପାନ ଉପରେ ନାହିଁ କଟକଣା

18

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିଏଚୟୁ । ବାରଣାସୀର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏଣିକି ସେମାନଙ୍କ ଡ୍ରେସକୋଡ ଓ ମଦ ପିଇବା ଉପରେ କୌଣସି କଟକଣା ରହିବ ନାହିଁ ବୋଲି ଘୋଷଣା କରାଯାଇଛି । ଏପରିକି ମେସରେ ରହୁଥିବା ଛାତ୍ରୀମାନେ ଆମିଷ ବି ଖାଇପାରିବେ । ବିଏଚୟୁରେ ନବନିଯୁକ୍ତ ମୁଖ୍ୟ ନିରୀକ୍ଷକ ରୋୟନା ସିଂ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ରୋୟନା ସିଂ କହିଛନ୍ତି ଯେ, ସେ ୟୁରୋପରେ ବଢିଛନ୍ତି । ତେଣୁ ସେ ଝିଅଙ୍କ ସ୍ୱାଧୀନତା ଦେଖିଛନ୍ତି । ଏଠାରେ ୧୮ ବର୍ଷରୁ ଅଧିକ ଝିଅ ରହୁଛନ୍ତି । ତେଣୁ ସେମାନେ ଡ୍ରେସ ପିନ୍ଧିବା ଓ ମଦ୍ୟପାନ ଉପରେ କୌଣସି କଟକଣା ରହିବା ଉଚିତ ନୁହେଁ । ରୋୟନା ଦୃଢୋକ୍ତି କରି କହିଛନ୍ତି, ବିଏଚୟୁ ପୂର୍ବରୁ ଝିଅଙ୍କ ପସନ୍ଦ ଉପରେ ପ୍ରତବିନ୍ଧକ ଲଗାଇନଥିଲା ଏବଂ ଭବିଷ୍ୟତରେ ବି ଏଭଳି ହେବନାହିଁ ।

ନିକଟରେ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ସୁରକ୍ଷା ନେଇ ଧାରଣା ଦେଇଥିବାବେଳେ ପୋଲିସର ଦୁର୍ବ୍ୟବହାରର ଶିକାର ହୋଇଥିଲେ । ଏହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏହାପରେ ଶହେ ବର୍ଷର ଇତିହାସରେ ପ୍ରଥମ ଥର ଲାଗି ମହିଳାଙ୍କୁ ମୁଖ୍ୟ ନିରୀକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା ।