ବନ୍ଦ ହେଲା ବିଦେଶୀ ଟଙ୍କା ! ଅଚ୍ୟୁତ ସାମନ୍ତଙ୍କ କିଟକୁ ମିଳିବନି ଅନୁଦାନ

49

କନକ ବ୍ୟୁରୋ : ନବୀନ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ଶ୍ରୀନାଥ ରେଡ୍ଡି ଓ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିଟର ବିଦେଶୀ ଅନୁଦାନ ଉପରେ କଟକଣା ଲଗାଇଛି ଭାରତର ସରକାରଙ୍କ ଗୃହ ମନ୍ତ୍ରାଳୟ । ଡକ୍ଟର ଶ୍ରୀନାଥ ରେଡ୍ଡି ଓ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅନୁଷ୍ଠାନ ଉପରେ ଫରେନ୍ କଂଟ୍ରିବ୍ୟୁସନ ରେଗୁଲେସନ୍ ଆକ୍ଟ ଅନୁସାରେ ପ୍ରତିବନ୍ଧକ ଲଗାଯାଇଛି । ଫଳରେ ସେମାନଙ୍କର ବିଦେଶରୁ ଆସୁଥିବା ଟଂକା ବନ୍ଦ ହୋଇଯାଇଛି । ବିଦେଶରୁ ସହାୟତା ଆଣି ଏମାନେ ତାର ଠିକ୍ ହିସାବ ଦେଉନଥିବା ପରିପ୍ରେକ୍ଷୀରେ ଲାଗିଛି ଏଭଳି ପ୍ରତିବନ୍ଧକ ।

ଡାକ୍ତର ଶ୍ରୀନାଥ ରେଡ୍ଡୀ ଦିଲ୍ଲୀ ଏମ୍ସର ପୂର୍ବତନ ହୃଦରୋଗ ବିଶେଷଜ୍ଞ ତଥା ପବ୍ଲିକ୍ ହେଲ୍ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷକରି ଚିକିତ୍ସକମାନଙ୍କୁ ତାଲିମ ଦେବା କ୍ଷେତ୍ରରେ କାମ କରୁଥିବା ଏହି ପିଏଚଏଫଆଇର ସଭାପତିଙ୍କୁ ନିକଟରେ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପଦେଶ ଦେବା ପାଇଁ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ । ଆଉ ତାଙ୍କୁ ଦେଇଥିଲେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ମର୍ଯ୍ୟାଦା ।

ନିକଟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମାତ୍ର ତାଙ୍କ ଏନଜିଓ ବିଦେଶୀ ଆର୍ଥିକ ସହାୟତାର ଦୁରୁପଯୋଗ କରୁଥିବା ଅଭିଯୋଗରେ ବିଶେଷକରି ବିଲ୍ ଆଣ୍ଡ୍ ମିଲିଣ୍ଡା ଗେଟସ ଫାଉଣ୍ଡେସନରୁ ଟଙ୍କା ପାଇବାର ବାଟକୁ ବନ୍ଦ କରିଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଯଦିଓ ସେ କିଛି ଭୁଲ୍ କରିନାହାନ୍ତି ବୋଲି ସଫେଇ ଦେଇଛନ୍ତି ରେଡ୍ଡି ।

ଅନ୍ୟଜଣେ ହେଲେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । କଳିଙ୍ଗ ଇନଷ୍ଟିଚୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି ବା କିଟର ପ୍ରତିଷ୍ଠାତା । ନଭେମ୍ବର ମାସରୁ କିଟର ଏଫସିଆରଏ ଲାଇସେନସକୁ ଆପାତତଃ ରଦ୍ଦ କରିଦେଇଛି ଗୃହ ମନ୍ତ୍ରଣାଳୟ । ବିଦେଶରୁ ମିଳୁଥିବା ଆର୍ଥିକ ସହାୟତାର ବାର୍ଷିକ ରିଟର୍ନ ଦେବାରେ ବିଫଳ ହୋଇଛି କିଟ୍ ।

୪ ମାସ ମଧ୍ୟରେ ରିଟର୍ନ ଫାଇଲ୍ ନକଲେ ଏଫସିଆରଏ ଆକାଉଂଟ୍ ରଦ୍ଦ ରହିବ ବୋଲି ଗୃହ ମନ୍ତ୍ରଣାଳୟ ଚେତାବନୀ ଦେଇଥିଲେ ସୁଦ୍ଧା ଅର୍ଥ କାରବାର ସଂପର୍କରେ ଏପର୍ଯ୍ୟନ୍ତ ବିସ୍ତୃତ ତଥ୍ୟ ଦେଇପାରୁନି କିଟ୍ । ଏ ନେଇ ଆମେ କିଟ୍ ସହ ଯୋଗାଯୋଗ କରିିଥିଲୁ । କିଟ୍ ମୁଖପାତ୍ରଙ୍କ କହିବା ଅନୁସାରେ ଲାଇସେନ୍ସକୁ ପୁଣି ନବୀକରଣ କରିବା ପାଇଁ ଉଦ୍ୟମ କରାଯାଉଛି । ଉଲ୍ଳେଖଯୋଗ୍ୟ, ମୋଦି ସରକାର କ୍ଷମତାକୁ ଆସିବା ପରେ ୧୧ ହଜାର ଏନଜିଓର ବିଦେଶରୁ ଆର୍ଥିକ ସହାୟତା ଆଣିବାର ଲାଇସେନ୍ସ ବାତିଲ କଲେଣି ।