ରଥଯାତ୍ରାରେ ଦାନ ଓ ଦକ୍ଷିଣା ନେଇ ପାରିବେନି ସେବାୟତ, ପ୍ରତି ରଥ ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ହୁଣ୍ଡି । ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ଶ୍ରୀମନ୍ଦିର ପ୍ରଶାସନର କଡା ପଦକ୍ଷେପ

47

କନକ ବ୍ୟୁରୋ : ରଥଯାତ୍ରାରେ ଦାନ ନେଇପାରିବେ ନାହିଁ ସେବାୟତ । ଭକ୍ତଙ୍କ ସୁବିଧା ପାଇଁ ରଥରେ ଏବଂ ଗୁଣ୍ଡିଚା ମନ୍ଦିରରେ ପ୍ରଶାସନ ପକ୍ଷରୁ ହୁଣ୍ଡି ଲାଗିବ । ଭକ୍ତମାନେ ଏହି ହୁଣ୍ଡିରେ ହିଁ ଦାନ ରାଶି ଦେବେ । ଶ୍ରୀମନ୍ଦିରରେ ଯେମିତି ଦାନଦକ୍ଷିଣା ଉପରେ କଟକଣା ରଖାଯାଇଛି ଠିକ୍ ଅନୁରୁପ ଢ଼ଙ୍ଗରେ ଏହା ପାଳନ ହେବ । ଶୃଙ୍ଖଳା ଦୃଷ୍ଟିରୁ ଏଥର ୩ଟି ରଥରେ ୧୨ଟି ହୁଣ୍ଡି ଏବଂ ଗୁଣ୍ଡିଚା ମନ୍ଦିରରେ ୬ଟି ହୁଣ୍ଡି ଲଗାଇବ ଶ୍ରୀମନ୍ଦିର ପ୍ରଶାସନ । ତେବେ ପ୍ରଶାସନର ଏଭଳି ନିଷ୍ପତିକୁ ନେଇ ଚହିଁକି ଉଠିଛନ୍ତି ସେବାୟତ ।

ଗୋଟିଏ ପଟେ ଶ୍ରୀମନ୍ଦିର ପ୍ରଶାସକ, ସଫାସଫା ଶୁଣାଇଦେଇଛନ୍ତି, ଯେ ରଥଯାତ୍ରାରେ ଦାନ ନେଇ ପାରିବେ ନାହିଁ ସେବାୟତ । ଅନ୍ୟପଟେ ସେବାୟତ କହୁଛନ୍ତି ଦକ୍ଷିଣା ହେଉଛି ସେମାନଙ୍କ ହକ୍ । ଏଭଳି ସ୍ଥିତିରେ ଦାନ ଦେବା ଏବଂ ଦାନ ନେବାର ପ୍ରବୃତିକୁ ନେଇ ଛିଡ଼ା ହୋଇଛି ଏକ ବଡ ବିତର୍କ । ଆଉ ଏହି ବିତର୍କ ଭିତରେ ଶ୍ରୀମନ୍ଦିର ସଂସ୍କାର ନୀତିକୁ ଆଉ ଗୋଟିଏ ପାଦ ଆଗେଇ ନେବା ପାଇଁ ଏଥର ରଥଯାତ୍ରା ସମୟରେ ୩ଟି ରଥରେ ଲାଗିବ ୧୨ଟି ହୁଣ୍ଡି । ଯେଉଁ ହୁଣ୍ଡିରେ ସ୍ପଷ୍ଟ ଲେଖା ରହିବ ଯେ, ଏହା ହେଉଛି ଶ୍ରୀମନ୍ଦିର ପ୍ରଶାସନ ହୁଣ୍ଡି । ସେହିପରି ଗୁଣ୍ଡିଚା ମନ୍ଦିରରେ ବି ଅନୁରୁପ ଭାବରେ ୬ଟି ହୁଣ୍ଡି ରହିବ । ରଥଯାତ୍ରା ସମୟରେ ଭକ୍ତମାନେ ଏହି ହୁଣ୍ଡିରେ ହିଁ ନିଜ ଦାନ ରାଶି ଦେଇପାରିବେ । ହେଲେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତି ପରେ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ସେହିପରି ଗୁଣ୍ଡିଚା ମନ୍ଦିର ଭିତରେ ଦଇତାପତିମାନେ କରି ପାରିବେ ନାହିଁ ଟିକେଟ୍ । ଆଉ ରଥକୁ ଛୁଇଁବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରହିବ ଶୃଙ୍ଖଳିତ ବ୍ୟବସ୍ଥା । ତେବେ ପ୍ରଶାସନର ଏଭଳି ମତାମତ ଉପରେ ସେବାୟତ ମାନେ କହିଛନ୍ତି ଦକ୍ଷିଣା ନେବା ତାଙ୍କ ହକ୍ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ, ରଥଯାତ୍ରା ପୂର୍ବରୁ କିଭଳି ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ସୁଚାରୁରୂପେ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା । ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଥିଲା ଦାନ ଅର୍ଥ ଉପରେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ଭିତରେ ଦାନ ଅର୍ଥଗ୍ରହଣ ଉପରେ କଟକଣା ଲାଗିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏବେ ରଥଯାତ୍ରାରେ ଦାନ ଉପରେ କଟକଣା ନେଇ ଘୋଷଣା କରିଛି । ତେବେ ଦେଖିବାର କଥା ଏହି କଟକଣା ରଥଯାତ୍ରା ଉପରେ କିଭଳି ପ୍ରଭାବ ପକାଉଛି ।