ଅନଲାଇନରେ ସାମଗ୍ରୀ କିଣୁଥିବା ଗ୍ରାହକଙ୍କୁ ଝଟକା : ଆଗକୁ ମିଳିନପାରେ ଅଧିକ ଡିସକାଉଂଟ, ଇ-କମର୍ସ ସାଇଟ ଉପରେ ସରକାରଙ୍କ ଆଖି

40

କନକ ବ୍ୟୁରୋ : ଆଜିକାଲି ସମସ୍ତେ ଅନଲାଇନ ସପିଙ୍ଗ୍ କରିବାକୁ ବେଶ୍ ପସନ୍ଦ କରୁଛନ୍ତି । କାରଣ ଘରେ ବସି ଏହି ସବୁ ସାମଗ୍ରୀ ହାତ ପାହାନ୍ତାରେ ମିଳିଯାଏ । କିନ୍ତୁ ଏବେ ଅନଲାଇନ ସପିଙ୍ଗ୍ କରୁଥିବା ଗ୍ରାହକଙ୍କୁ ଲାଗିବ ଝଟକା । କାରଣ ଅନେକ ସମୟରେ ଏହି ସପିଙ୍ଗ ସାଇଟଗୁଡିକ ଦେଉଥିବା ଅଫର୍ ବା ଡିସକାଉଂଟ ଉପରେ ଲାଗିବ କଟକଣା ।

ପାଠପଢା ବହି ଠାରୁ ଆରମ୍ଭ କରି ଘରେ ବ୍ୟବହୃତ ଉପକରଣ, କସମେଟିକ୍ସଠାରୁ ନେଇ ଖାଦ୍ୟ ସାମଗ୍ରୀ ଏସବୁ ଗୋଟିଏ କ୍ଲିକରେ ପହଂଚିଯାଉଛି ଆପଣଙ୍କ ହାତମୁଠାରେ । କାରଣ ସବୁକିଛି ମିଳୁଛି ଅନଲାଇନରେ । ଘରେ ବସି ଅର୍ଡର କରିବା ପରେ ଦୁଇ-ଚାରି ଦିନ ଭିତରେ ମିଳିଯାଉଛି ସବୁ ସାମଗ୍ରୀ । କିନ୍ତୁ ଏବେ ଅନଲାଇନ ସପିଙ୍ଗ୍ କରୁଥିବା ଗ୍ରାହକଙ୍କୁ ଲାଗିବ ଝଟକା । ଆଉ ମିଳିବନି ମନମୁତାବକ ରିହାତି । ଅନଲାଇନ ସପିଙ୍ଗ୍ ସାଇଟରେ ମିଳୁଥିବା ରିହାତି ହୁଏତ ଆଗକୁ କମିଯାଇପାରେ ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆପଣ ଏହି ସାମଗ୍ରୀ କିଣିବେ । ଏଭଳି କିଛି ସମ୍ଭାବନା ଏବେ ଦେଖାଦେଇଛି । କାରଣ ଇ-କମର୍ସ କମ୍ପାନୀଙ୍କ ରିହାତି ଉପରେ ଏବେ ରହିଛି ସରକାରଙ୍କ ଆଖି ।

online shopping
image courtesy -https://www.thecashlorette.com

ବିଭିନ୍ନ ସମୟରେ ସେଲ୍ ଲାଗୁଥିବା ଅନଲାଇନ୍ ସପିଙ୍ଗ୍ ସାଇଟ୍ଗୁଡିକ ଉପରେ ଲାଗିପାରେ କଟକଣା । ଏକ ନିର୍ଦ୍ଧାରିତ ସମୟସୀମା ଭିତରେ ସାମଗ୍ରୀଗୁଡିକୁୁ ରିହାତି ଦେଇ ବିକ୍ରି କରିବା ପାଇଁ ନିୟମ ଆଣିବେ ସରକାର । ତେବେ ଏହାରି ଭିତରେ କେବଳ ଆମାଜନ୍, ଫ୍ଲିପକାର୍ଟ, ଜବଙ୍ଗ୍ ଭଳି ସପିଙ୍ଗ୍ ସାଇଟ୍ ନୁହେଁ ବରଂ ସ୍ୱିଗି, ଜୋମାଟୋ ଆଦି ଅନଲାଇନ୍ ଫୁଡ୍ ଡେଲିଭେରି ସାଇଟ ଏବଂ ପେଟିଏମ୍, ପଲିସିବଜାର, ଅର୍ବାନକ୍ଲାପ୍  ଆଦି କମ୍ପାନୀ ଦେଉଥିବା ରିହାତି ଓ ଅଫରଗୁଡିକୁ ମଧ୍ୟ ସରକାର ନିୟନ୍ତ୍ରଣକୁ ଆଣିବା ନେଇ କୁହାଯାଉଛି । ଆଉ ଏସବୁର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡିବା ନେଇ ଆଲୋଚନା କରାଯାଉଛି ।

online-shopping

ପୂର୍ବରୁ ଏହି ସାଇଟଗୁଡିକ ଦେଉଥିବା କ୍ୟାସ୍ ଅନ୍ ଡେଲିଭରି ସୁବିଧାକୁ ନେଇ ବିବାଦ ଉପୁଜିବା ପରେ ଏବେ ରିହାତିକୁ ହ୍ରାସ କରିବା ସହ ଏଥିପାଇଁ ନିୟାମକ ଗଠନ, ଅଭିଯୋଗ ସମାଧାନ ବ୍ୟବସ୍ଥା ପାଇଁ ମଧ୍ୟ ସରକାର ପ୍ରସ୍ତାବ ଆଣିବେ । ତେବେ ଏସବୁ ଭିତରେ ଭାରତରେ ବର୍ତ୍ତମାନ ଇ-କମର୍ସ ବଜାରର ଆକାର ପ୍ରାୟ ୨୫ବିଲିୟନ ଡଲାର ରହିଥିବା ବେଳେ ଖୁବ୍ ଶୀଘ୍ର ଏହା ୨ଶହ ବିଲିୟନ୍ ଡଲାରରେ ପହଂଚିବା ଅନୁମାନ କରାଯାଉଛି ।