ଧର୍ମଶାଳା ବୁରୁସାହିରେ ବାଟବଣା ବିକାଶ: ଘର ଘର ବୁଲି ସମସ୍ୟା ପାଚାରି ବୁଝିଲେ ଜିଲ୍ଲାପାଳ; ଲୋକେ କହିଲେ ପ୍ରତିଶ୍ରୁତି ନୁହେଁ, କାମରେ କରି ଦେଖାଅ

132

କନକ ବ୍ୟୁରୋ: ପ୍ରଗତିର ପ୍ରୟୋଗଶାଳା କୁହାଯାଉଥିବା ଯାଜପୁର ଧର୍ମଶାଳା ବ୍ଲକ ବୁରୁସାହିରେ ବିକାଶ ବାଟବଣା । ମୌଳିକ ସୁଖସୁବିଧା ମିଳୁନଥିବା ଅଭିଯୋଗ କଲେ ଲୋକ । ଘର ଘର ବୁଲିଲେ ଜିଲ୍ଲାପାଳ । ଲୋକେ କହିଲେ ପ୍ରତିଶ୍ରୁତି ନୁହେଁ କାମରେ କରି ଦେଖାନ୍ତୁ ଜିଲ୍ଳାପାଳ । ସ୍ୱାସ୍ଥ୍ୟମେଳା ସାଙ୍ଗକୁ କେକ୍ କାଟି ପିଲାଙ୍କୁ ଖୁଆଇ ସେଲିବ୍ରେସନ କଲେ ଯାଜପୁର ଜିଲ୍ଲାପାଳ । କହିଲେ ଖୁବ୍ ଶୀଘ୍ର ବଦଳିବ ବୁରୁସାହିର ଚିତ୍ର ।

ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକର ବୁରୁସାହି । ଗାଁର ଅବସ୍ଥା ଦେଖିଲେ, ଯେ କେହି ବି ଅନୁଭବ କରିପାରିବେ ବିକାଶ ଏଠାକାର ଆଦିବାସୀଙ୍କ ପାଇଁ ସାତସପନ । ନା ଅଛି ଭଲ ରାସ୍ତାଟିଏ, ନା ସ୍ୱଚ୍ଛ ପିଇବା ପାଣି । ନୁଆଁଣିଆ ଝାଟିମାଟିର ଘର ଏମାନଙ୍କ ଠିକଣା । ଜଙ୍ଗଲ କିସମ ଜମିରେ ରହୁଥିବାରୁ ପଟ୍ଟା ଖଣ୍ଡିଏ ମିଳିନାହିଁ । ତେଣୁ ସରକାରଙ୍କ ଆବାସ ଯୋଜନାର ହକଦାର ନୁହନ୍ତି ଏମାନେ । ବିକାଶଠୁ ବହୁ ଦୂରରେ ଥିବା ବୁରୁସାହିରେ ଏବେ ଏବେ ପହଞ୍ଚିଛନ୍ତି ପ୍ରଶାସନିକ ଅଧିକାରୀ । ଜିଲ୍ଲାପାଳଙ୍କ ସମେତ ଅନ୍ୟ ସବୁ ବିଭାଗର ଅଧିକାରୀମାନେ ଗାଁରେ ପହଂଚି ଘର ଘର ବୁଲିଛନ୍ତି । କେକ୍ କାଟି କୁନି କୁନି ପିଲାଙ୍କୁ ଖୁଆଇ ବିକାଶର ଗାଡିକୁ ଆଗକୁ ନେବା ପାଇଁ ଚେଷ୍ଟା କରିଛନ୍ତି ।

ଯାଜପୁର ଜିଲ୍ଳାର ଦ୍ୱୀତିୟ ନଗଡା କୁହାଯାଉଥିବା ବୁରୁସାହିରେ ଏଇ ଏବେ ଏବେ ବିଦ୍ୟୁତ୍ ସଂଯୋଗ ପାଇଁ ବ୍ୟବସ୍ଥା କରାଯାଇଛି । ଝାଟିମାଟିର ଘରେ ଅଙ୍ଗନବାଡି କେନ୍ଦ୍ରଟିଏ ବି ଖୋଲା ଯାଇଛି । ଜିଲ୍ଳା ରେଡକ୍ରସ ସୋସାଇଟି ପକ୍ଷରୁ ସ୍ୱାସ୍ଥ୍ୟମେଳାର ଆୟୋଜନ କରାଯାଇ ଆଦିବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣାରେ ଓøଷଧ ବିତରଣ କରାଯାଇଛି । ଖୁବ୍ ଶୀଘ୍ର ଅଙ୍ଗନବାଡି ଓ ଏକ ସ୍କଲ ଘର ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।ବିକାଶଠାରୁ ବହୁ ଦୂରରେ ଥିବା ଧର୍ମଶାଳା ବୁରୁସାହି ବାସିନ୍ଦାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଜିଲ୍ଳାପାଳଙ୍କ ଉଦ୍ୟମ କେତେ ସକ୍ଷମ ହେଉଛି ତାହା ଆଗାମୀ ଦିନର ସ୍ଥିତି ହିଁ ବୟାନ କରିବ ।