ଟିମ୍ ଇଣ୍ଡିଆ କୋଚ୍ ନିଯୁକ୍ତି ନେଇ ଦ୍ୱନ୍ଦ୍ୱ ! ରବି ଶାସ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ଖବରକୁ ଖଣ୍ଡନ କଲା ବିସିସିଆଇ

19

କନକ ବ୍ୟୁରୋ : ଟିମ୍ ଇଣ୍ଡିଆ କୋଚ୍ ନିଯୁକ୍ତ ନେଇ ଦ୍ୱନ୍ଦ୍ୱ । କିଛି ସମୟ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ପୂର୍ବତନ ଅଲରାଉଣ୍ଡର ରବି ଶାସ୍ତ୍ରୀଙ୍କୁ କୋଚ୍ ଦାୟିତ୍ୱ ଦିଆଯାଇଛି ବୋଲି ଖବର ପ୍ରସାରଣ କରାଯାଇଥିଲା । ତେବେ ବିସିସିଆଇ ପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯାଇଛି । ଏଯାଏଁ କୌଣସି ନିଷ୍ପତି ହୋଇନଥିବା ବିସିସିଆଇ କହିଛି । ନୂଆ କୋଚ୍ ନିଯୁକ୍ତି ନେଇ କ୍ରିକେଟ ପରାମର୍ଶଦାତା କମିଟିର ତିନି ସଦସ୍ୟ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ମଣଙ୍କ ମଧ୍ୟରେ ଆଲୋଚନା ଚାଲିଥିବା କୁହାଯାଇଛି ।

ପୂର୍ବରୁ ଗତକାଲି ଏହି କମିଟି ୬ ଜଣ ଆବେଦନକାରୀଙ୍କର ସାକ୍ଷାତକାର ନେଇଥିଲେ । ଶେଷରେ ଅଧିନାୟକ ବିରାଟ କୋହଲିଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି କହିଥିଲେ ସୌରଭ । ଏପଟେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପରିଚାଳନା କମିଟି ମଙ୍ଗଳବାର ସୁଦ୍ଧା କୋଚ ଘୋଷଣା କରିବାକୁ ବିସିସିଆଇକୁ ନିର୍ଦ୍ଦେଶ ଦେଇଥିଲା । ତେବେ କିଏ ହେବ ଟିମ୍ ଇଣ୍ଡିଆ କୋଚ୍ ? ଅଧିନାୟକ ବିରାଟ କୋହଲିଙ୍କ ପସନ୍ଦର ବ୍ୟକ୍ତି ରବି ଶାସ୍ତ୍ରୀ ନା ସେହୱାଗକୁ ମିଳିବ ଦାୟିତ୍ୱ?