ଆରବ ସାଗରରେ ସୃଷ୍ଟି ହେଲା ଲଘୁଚାପ ବଳୟ : ଅକ୍ଟୋବରରେ ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ତାମିଲନାଡ଼ୁ, କେରଳ ସମେତ ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

2,227

କନକ ବ୍ୟୁରୋ : ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପତବର୍ତୀ ୪୮ ଘଣ୍ଟା ମଧ୍ୟରେ ତାମିଲନାଡ଼ୁ, କେରଳ ସମେତ ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଅକ୍ଟୋବର ମାସରେ ଓଡ଼ିଶା ପ୍ରତି ବାତ୍ୟା ଓ ବର୍ଷା ଭୟ ନ ଥିବା ଜଣାପଡ଼ିଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଆରବ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଅକ୍ଟୋବର ଶେଷ ସପ୍ତାହ ଆଡ଼କୁ ଓଡ଼ିଶାରେ ବର୍ଷା ଆଶଙ୍କା ଟଳିଛି । ବଡ଼ ବର୍ଷା ହେବ ନାହିଁ । କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଏବେ ଓଡ଼ିଶାକୁ ଉତ୍ତର ପୂର୍ବରୁ ପବନ ହେଉଛି। ଆରବ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ୨୧ ତାରିଖଠାରୁ ଓଡ଼ିଶାକୁ ଉତ୍ତର ପଶ୍ଚିମ ପବନ ବୋହିବ । ତେଣୁ ଜଣାପଡ଼ୁଛି ଯେ ଅକ୍ଟୋବର ମାସରେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ବଡ଼ ଲଘୁଚାପ କିମ୍ବା ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ତାମିଲନାଡ଼ୁ ସମେତ ଦକ୍ଷିଣ ଭାରତରେ ବର୍ଷା ହେବ ।

ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବିଶେଷକରି କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତର ଆଶଙ୍କା ଥିବାରୁ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାର ପରବର୍ତୀ ୩ ଦିନ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା‌ ହେବାର ସମ୍ଭାବନା ରହିଛି ।