ପରମ୍ପରାରେ ପରବର୍ତ୍ତନ! ଜୟପୁରରେ ଗ୍ୟାସ ଟାଙ୍କି ଓଲଟିବା ଯୋଗୁଁ ମଲା ମଣିଷକୁ ମିଳିଲାନି ମୁଖାଗ୍ନି

25

କନକ ବ୍ୟୁରୋ : ଗଦଲାବାଡି ଗାଁରେ ଗ୍ୟାସ ଆତଙ୍କ । କୋରାପୁଟ ଘାଟିରେ ଟ୍ୟାଙ୍କର ଓଲଟିବା ପରେ ନିଆଁ ଜାଳିବାକୁ ବାରଣ କରିଛି ପ୍ରଶାସନ । ସେଥିପାଇଁ ଚିତାଠାରୁ ଆରମ୍ଭ କରି ଚୁଲି ମଧ୍ୟ ଜଳିନାହିଁ । ୨୪ ଘଂଟା ହେଲା ଭୋକ, ଓପାସରେ ଆଉଟୁପାଉଟୁ ହେଉଛନ୍ତି ଗାଁଲୋକେ । ଆଉ ୫ କିଲୋମିଟର ଅଂଚଳରେ କଡା ପହରା ଭିତରେ ଗ୍ୟାସକୁ ଖାଲି କରିବା ପାଇଁ ଉଦ୍ୟମ ଚଳାଇଛି ପ୍ରଶାସନ ।

ଓଲଟି ପଡିଥିବା ଟାଙ୍କିରୁ ଗ୍ୟାସ ନିର୍ଗତ ହେଉଥିବାରୁ ଶ୍ୱାସରୁଦ୍ଧ ହୋଇ ଜଣେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିଲା । ପ୍ରଶାସନର କଟକଣା ଯୋଗୁଁ ତାଙ୍କ ମର ଶରୀରକୁ ମାଟିରେ ପୋତି ଦେଇଛନ୍ତି ଗାଁ ଲୋକ । ସେପଟେ ଗ୍ୟାସ ଟାଙ୍କି ଓଲଟିବାର ୨୪ ଘଂଟା ବିତିଗଲାଣି । ଗ୍ୟାସକୁ ସଂପୂର୍ଣ୍ଣ ଖାଲି କରାଯାଇ ପାରିନଥିବାରୁ ପୁରା ଅଂଚଳରେ ବିଜୁଳି କାଟି ଦିଆଯାଇଛି ।

ଏପଟେ ଚୁଲି ଜଳୁନଥିବାରୁ ଗତକାଲିଠାରୁ ଓପାସରେ ୨୦ଟି ପରିବାରର ପ୍ରାୟ ୨୦୦ ଲୋକ । ମୁଢି ନହେଲେ କାଲିର ଶୁଖିଲା ଭାତ ଖାଉଛନ୍ତି ଗଦଲାବାଡି ଗ୍ରାମବାସୀ । ଦୁର୍ଘଟଣାକୁ ୨୪ ଘଂଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଗ୍ୟାସ ସଂପୂର୍ଣ୍ଣ ଖାଲି କରାଯାଇ ପାରିନଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

ବିଶାଖାପାଟଣାରୁ ସ୍ୱତନ୍ତ୍ର ଟିମ୍ ଆସି ଟ୍ୟାଙ୍କରରୁ ଗ୍ୟାସ୍ ଖାଲି କରୁଛନ୍ତି । ୫ କିଲୋମିଟର ପର୍ଯ୍ୟନ୍ତ ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଗାଡି ମୋଟର ଅଟକି ରହିଛି । ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସତର୍କ ନଜର ରଖିଛନ୍ତି ।