ସଂସଦରେ ମୋଦି ଦେବେ ଅଗ୍ନି ପରୀକ୍ଷା । ସମର୍ଥନ ନା ବିରୋଧ, ସ୍ପଷ୍ଟ କରୁନି ବିଜେଡି ।

38

କନକ ବ୍ୟୁରୋ : ଶୁକ୍ରବାର ସଂସଦରେ ଶକ୍ତି ପରୀକ୍ଷା । ଗୋଟିଏ ପଟେ ଆସ୍ଥା ଭୋଟ ଜରିଆରେ ଅଗ୍ନି ପରୀକ୍ଷା ଦେବେ ମୋଦି ସରକାର । ଅନ୍ୟପଟେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଂଟର ହେବ ଅସଲ ପରୀକ୍ଷା । କାରଣ ମୋଦି ବିରୋଧୀଙ୍କୁ ସାଙ୍ଗରେ ନେଇ ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କଂଗ୍ରେସ ଏଠାରୁ ପରବର୍ତି ସମୀକରଣ ତିଆରି କରିବ । ଆଉ ଉଭୟ କଂଗ୍ରେସ ଓ ବିଜେପିଠାରୁ ଦୂରତା ରଖିଆସୁଥିବା ଦଳଗୁଡିକର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ ହୋଇଯିବ ।

ସଂସଦରେ ଅଗ୍ନିପରୀକ୍ଷା ଦେବେ ମୋଦି ସରକାର ହେଲେ ଏହା କଂଗ୍ରେସ ନେତୃତ୍ୱାଧୀନ ମୋଦି ବିରୋଧୀ ମେଂଟର ମଧ୍ୟ ବଡ ପରୀକ୍ଷା । ଯେଉଁଥିପାଇଁ ଟିଡିପିର ଅନାସ୍ଥା ପ୍ରସ୍ତାବକୁ ତତକ୍ଷଣାତ ଛିଡାହୋଇ ସମର୍ଥନ ଜଣାଇଥିଲେ କଂଗ୍ରେସ ସଦସ୍ୟ । ଶୁକ୍ରବାର ଆସ୍ଥାଭୋଟ ବେଳେ ଏନଡିଏ ସରକାରଙ୍କ ସଫଳତା ଓ ବିଫଳତାକୁ ନେଇ ବିସ୍ତୃତ ଚର୍ଚ୍ଚା ହେବ । ଯେଉଁଥିରୁ ଫାଇଦା ନେବାକୁ ଚାହୁଁଛି କଂଗ୍ରେସ । ୪ବର୍ଷର ମୋଦି ଶାସନରେ ସରକାରଙ୍କ ବିଶ୍ୱାସଘାତକୁ ଲୋକଙ୍କ ଆଗରେ ରଖିବ କଂଗ୍ରେସ । ସେପଟେ ନିଜ ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ଆଗରେ ରଖିବାକୁ କୌଣସି ମୌକା ଛାଡିବ ନାହିଁ ବିଜେପି ।

ସଂଖ୍ୟା ଦୃଷ୍ଟିରୁ ବେଶ ସହଜ ସ୍ଥିତିରେ ଥିବା ବିଜେପି, ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିନେବା ପଛରେ ରହିଛି ଏକ ସୁଚିନ୍ତିତ ରଣନୀତି । ୨୦୧୯ ନିର୍ବାଚନ ପୂର୍ବରୁ ମେଂଟ ସହଯୋଗୀଙ୍କ ମୁଡ ଜାଣିବାକୁ ଚାହୁଁଛି ବିଜେପି । ଏଥିସହ ମୋଦି ବିରୋଧୀ ମେଂଟରେ ନଥିବା ରାଜନୈତିକ ଦଳଗୁଡିକର ଆଭିମୁଖ୍ୟ ମଧ୍ୟ ଶୁକ୍ରବାର ସ୍ପଷ୍ଟ ହେବାକୁ ଯାଉଛି ।

କଣ ରହିଛି ସଂଖ୍ୟା ଗଣିତ :
-ଲୋକସଭାର ମୋଟ ସଭ୍ୟ ସଂଖ୍ୟା ୫୪୫
-୧୦ଟି ଖାଲିପଡିଥିବାରୁ ମୋଟ ୫୩୫ ସଭ୍ୟ
-ଆସ୍ଥା ଭୋଟରେ ଭାଗ ନେବେନି ବାଚସ୍ପତି
-ଅର୍ଥାତ ଭୋଟ୍ ଦେବେ ୫୩୪ ଜଣ ସାଂସଦ
-ଆସ୍ଥା ଭୋଟରେ ଜିତିବାକୁ ଦରକାର ୨୬୮
-କେବଳ ବିଜେପି ପାଖରେ ଅଛନ୍ତି ୨୭୨ ସଭ୍ୟ
-ମେଂଟ ସହଯୋଗୀଙ୍କ ପାଖରେ ଅଛନ୍ତି ୪୦ ସଭ୍ୟ
-ଏନଡିଏ ନିକଟରେ ୩୧୨ ସଦସ୍ୟଙ୍କ ସମର୍ଥନ
-ଆସ୍ଥା ଭୋଟ ଜିତିବାକୁ ଏହି ସଂଖ୍ୟା ଢେର ଅଧିକ
-ସେପଟେ କଂଗ୍ରେସ ନିକଟରେ ଅଛନ୍ତି ୪୮ ସଦସ୍ୟ
-ଟିଏମସି, ଟିଡିପି ସମେତ ଅନ୍ୟ ଦଳର ସଭ୍ୟ ୯୯
-କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଂଟରେ ୧୪୭
-ଏଆଇଏଡିଏମକେ, ବିଜେଡି, ଟିଆରଏସ ଓ ଅନ୍ୟାନ୍ୟ ୭୫

ମୋଦି ବିରୋଧୀ ମେଂଟରୁ ଦୂରେଇ ରହିଥିବା ଏଆଇଏଡିଏମକେ, ବିଜେଡି ଓ ଟିଆରଏସ ପରି ଆଂଚଳିକ ଦଳର ଆଭିମୁଖ୍ୟ ବେଶ ଗୁରୁତ୍ୱ ରଖୁଛି । କାରଣ ଏମାନେ କେଉଁଆଡକୁ ଢଳିବେ ତାହା ସ୍ପଷ୍ଟ ନକରି ଝୁଲାଇ ରଖିଛନ୍ତି । ଦିଲ୍ଲୀରେ ବସିଥିବା ବିଜେଡିର ସଂସଦୀୟ କମିଟି ବୈଠକରେ ଦଳ ତାର ନିଷ୍ପତି ଲଟକାଇ ରଖିଛି । ସଂସଦରେ ଉପସ୍ଥିତ ରହିବାକୁ ଦଳୀୟ ସାଂସଦଙ୍କୁ ହ୍ୱିପ ଜାରି କରାଯାଇଛି ହେଲେ ଭୋଟ ବେଳେ କେଉଁ ଷ୍ଟାଣ୍ଡ ନେବେ ଦଳୀୟ ସାଂସଦ, ସେନେଇ ଶୁକ୍ରବାର ଯାଏଁ ଅପେକ୍ଷା କରିବାକୁ ପଡିବ । ହେଲେ ଚର୍ଚ୍ଚା ହେଉଛିି, ଦଳ ବିରତ ରହିପାରେ ଯାହା ବିଜେପିକୁ ସୁହାଇବ ।

ବିଜେପିର ମନୋମୁଖୀ କାରବାରରେ ଅସନ୍ତୁଷ୍ଟ ଏନଡିଏର ସର୍ବପୁରାତନ ମେଂଟ ସହଯୋଗୀ ଶିବସେନାର ଆଭିମୁଖ୍ୟ ଆସ୍ଥା ଭୋଟ ବେଳେ ସ୍ପଷ୍ଟ ହୋଇଯିବ । ୨୦୦୩ ପରେ ସଂଖ୍ୟା ନଥାଇ ମଧ୍ୟ ପୁଣିଥରେ ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ କଂଗ୍ରେସ ଆଖିବୁଜି ସମର୍ଥନ କରିଛି । କାରଣ ଏହା ୨୦୧୯ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବ ବୋଲି ଆକଳନ କରାଯାଉଛି ।