ଆସ୍ଥା ଓ ଅନାସ୍ଥାର ଦୋଛକିରେ ମୋଦି ସରକାର ! ଆସନ୍ତାକାଲି ଲୋକସଭାରେ ମୋଦି ଦେବେ ବଡ ପରୀକ୍ଷା

32

କନକ ବ୍ୟୁରୋ : ୪ ବର୍ଷର ମୋଦି ସରକାର ପ୍ରଥମ ଥର ଏକ ବଡ ପରୀକ୍ଷାର ସାମନା କରିପାରନ୍ତି ଆସନ୍ତାକାଲି । ଟିଡିପି ଓ ୱାଇଏସଆର କଂଗ୍ରେସଙ୍କ ଅନାସ୍ଥା ନୋଟିସକୁ ଗ୍ରହଣ କରି ଭୋଟ ପାଇଁ ନିଷ୍ପତି ନେଇପାରନ୍ତି ବାଚସ୍ପତି । ଅନାସ୍ଥା ଆଗତ କରିବା ପାଇଁ ଆବଶ୍ୟକ ସଦସ୍ୟଙ୍କ ସମର୍ଥନ ରହିଥିବାରୁ ମୋଦିଙ୍କୁ ଲୋକସଭାରେ ବିଶ୍ୱାସ ଜିତିବାକୁ ପଡିବ । ଏଭଳି ସ୍ଥିତିରେ ବିଜେଡିର ଆଭିମୁଖ୍ୟ କଣ ହେବ, ଅନାସ୍ଥା ସପକ୍ଷରେ ଯିବ କିମ୍ବା ବିପକ୍ଷରେ ଯିବ, ତାହା ଉପରେ ରହିଛି ସମସ୍ତଙ୍କର ନଜର ।

ସୋମବାର ଦିନ ଉଠିବ ପଡିବ ଲୋକସଭା । ପ୍ରଥମ ଥର ପାଇଁ ମୋଦି ସରକାର ଦେଇପାରନ୍ତି ବଡ଼ ପରୀକ୍ଷା । କାରଣ ଦୁଇ ଦୁଇଟି ଅନାସ୍ଥା ନୋଟିସ୍ ଦେଇଛନ୍ତି ଆନ୍ଧ୍ରର ଦୁଇ ପ୍ରତିଦ୍ୱନ୍ଦୀ ଦଳ ଟିଡିପି ଓ ୱାଇଏସଆର କଂଗ୍ରେସ । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ଭୋଟିଂ ପାଇଁ ୫୦ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକ ରହିଛି । କଂଗ୍ରେସ, ଅନାସ୍ଥାକୁ ସମର୍ଥନ କରୁଥିବାରୁ ଭୋଟିଂ ହେବା ଏକପ୍ରକାର ନିଶ୍ଚିତ ।ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ମୋଦି ସରକାର ଯେ ଲୋକସଭାରେ ଆସ୍ଥା ହରାଇବେ, ସେହି ସମ୍ଭାବନା କ୍ଷୀଣ । ହେଲେ ୨୦୧୪ ରେ ସରକାର ଗଢିବା ବେଳେ ବିଜେପି ଓ ଏନଡିଏର ଯେଉଁ ଦମ୍ଭ ଥିଲା, ସେଥିରେ ମାଡ଼ ହେବା ନିଶ୍ଚିତ ।

ତୃଣମୂଳ କଂଗ୍ରେସ, ଟିଆରଏସ, ଏସପି ଓ ବାମ ଦଳଗୁଡିକର ମୋଦି ସରକାରଙ୍କ ବିରୋଧରେ ସେମାନଙ୍କ ଆଭିମୁଖ୍ୟ ବେଶ୍ ସ୍ପଷ୍ଟ । ବର୍ତମାନ ନଜର ରହିଛି ବିଜେଡି, ଏନଡିଏର ସହଯୋଗୀ ଦଳ ଶିବସେନା, ଏଆଇଏଡିଏମ୍ ଆଦି ଦଳ ଉପରେ । ଉଭୟ ବିଜେପି ଓ କଂଗ୍ରେସ ସହ ସମଦୂରତା ଅବଲମ୍ବନ କରୁଥିବା ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଏଭଳି ଏକ ମୁହୂର୍ତରେ ନବୀନ କି ନିଷ୍ପତି ନେଉଛନ୍ତି, ତାହାକୁ ନେଇ ରାଜନୈତିକ ଚର୍ଚ୍ଚା ଚାଲିଛି । କାରଣ ଏହା ହିଁ ବିଜେଡିର ୨୦୧୯ ରଣନୀତିକୁ ଇଂଗିତ କରିବ ।

ଅନାସ୍ଥା ପ୍ରସ୍ତାବ ଉପରେ ବିଜେଡି ଆଗରେ ତିନିଟି ବିକଳ୍ପ ରହିଛି : 
tdp -bjp warପ୍ରଥମ ବିକଳ୍ପ: କେନ୍ଦ୍ର ସରକାରଙ୍କ ଅନାସ୍ଥା ସପକ୍ଷରେ ଭୋଟ ଦେବ । ଯଦି ବିଜେଡି ଏପରି କରୁଛି, ତାହା ସ୍ପଷ୍ଟ କରିବ ଯେ ବିଜେଡି ପୂର୍ବ ଆଭିମୁଖ୍ୟ ବଦଳାଇ ନୂଆ ରଣନୀତି ପାଇଁ ପ୍ରସ୍ତୁତ ହେଉଛି ।

ଦ୍ୱିତୀୟ ବିକଳ୍ପ: ଅନାସ୍ଥା ବିପକ୍ଷରେ ଭୋଟ । ଏପରି ହେଲେ ଏହା ସୂଚାଇବ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡକୁ ଢଳୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅବଶ୍ୟ ବର୍ତମାନର ସ୍ଥିତି ଯାହା, ଏପରି ହେବା ଆଶା କ୍ଷୀଣ ।

ତୃତୀୟ ବିକଳ୍ପ: ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଭୋଟିଂ ବେଳେ ଲୋକସଭାରେ ଅନୁପସ୍ଥିତ ରହିବେ ବିଜେଡି ସାଂସଦ । ଏହି ତୃତୀୟ ବିକଳ୍ପ ବିଜେଡି ପାଇଁ ଅଧିକ ସୁହାଇବ ବୋଲି ସମୀକ୍ଷକମାନେ ମତ ଦେଉଛନ୍ତି । କାରଣ ଏପରି କଲେ ବିଜେପି-କଂଗ୍ରେସ ଠାରୁ ସମଦୂରତା ନୀତି ବଜାୟ ରହିବ ଏବଂ ଅନାସ୍ଥା ଆଲୋଚନାରେ ରାଜ୍ୟ ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି କରିବାର ସୁଯୋଗ ମିଳିବ ।

ଶୁକ୍ରବାର ଦିନ ଅନାସ୍ଥା ନୋଟିସ୍ ଦିଆଯାଇଥିଲେ ବି ଗ୍ରହଣ କରାଯାଇନାହିଁ । ଅନାସ୍ଥା ନୋଟିସ୍ ଠିକଠାକ୍ ଥିଲେ ସୋମବାର ଦିନ ନିଷ୍ପତି ନେବେ ବୋଲି କହିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ । ସେପଟେ କଂଗ୍ରେସ ସମେତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଦେବାପାଇଁ ଏକାଠି ହେଉଛନ୍ତି ବିରୋଧୀ ।