ଏନଡିଏ ବିରୋଧରେ ଅବିଶ୍ୱାସ ମତ : ଲୋକସଭାରେ ହଙ୍ଗାମା ଯୋଗୁଁ ହୋଇପାରୁନି ଆଲୋଚନା

23

କନକ ବ୍ୟୁରୋ : ଲୋକସଭାରେ ଅଚଳାବସ୍ଥା ଜାରି ରହିଥିବାବେଳେ ଟିଡିପି ଓ ୱାଇଏସଆର କଂଗ୍ରେସ ପକ୍ଷରୁ ଆଗତ ଅବିଶ୍ୱାସ ମତ ନେଇ ହୋଇପାରୁନି ଆଲୋଚନା । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପୂରଣ ନକରିବାରୁ କେନ୍ଦ୍ରରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଆଲୋଚନା ପାଇଁ ବାଚସ୍ପତିଙ୍କୁ ନୋଟିସ ଦେଇଛନ୍ତି ଦୁଇଟି ଦଳ । ସଂଖ୍ୟା ଦୃଷ୍ଟିରୁ ବେଶ ସହଜ ସ୍ଥିତିରେ ଥିବା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧୀ ଆଣୁଥିବା ସମସ୍ତ ପ୍ରସ୍ତାବରେ ଆଲୋଚନା ପାଇଁ ରାଜି ଥିବା କହିଛନ୍ତି । ଏପରିକି ଅନାସ୍ଥା ପ୍ରସ୍ତାବରେ ମଧ୍ୟ ଚର୍ଚ୍ଚା ପାଇଁ ସରକାର ରାଜି ବୋଲି ଗତକାଲି ଗୃହରେ ବିବୃତି ରଖିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ହେଲେ ଏଆଇଏଡିଏମକେ ସଦସ୍ୟଙ୍କ ବାରମ୍ବାର ହୋହଲ୍ଲା ଯୋଗୁଁ ଆଜି ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖିଥିଲେ ବାଚସ୍ପତି ସୁମିତ୍ରା ମହାଜନ ।

ବାଚସ୍ପତିଙ୍କୁ ବାଦଦେଇ ଲୋକସଭାର ମୋଟ ସଭ୍ୟ ସଂଖ୍ୟା ୫ଶହ ୩୯ । ଆସ୍ଥା ଭୋଟରେ ଜିତିବା ପାଇଁ ଦରକାର ୨ଶହ ୭୧ ସାଂସଦଙ୍କ ସମର୍ଥନ । ଲୋକସଭାରେ କେବଳ ବିଜେପି ନିକଟରେ ୨ଶହ ୭୫ ସାଂସଦ ଥିବାବେଳେ ଅନ୍ୟ ସହଯୋଗୀଙ୍କ ସମର୍ଥନ ବି ରହିଛି । ତୃଣମୂଳ କଂଗ୍ରେସ, ଟିଆରଏସ, ଏସ୍ପି ଓ ବାମ ଦଳଗୁଡିକ ମୋଦି ସରକାରଙ୍କ ବିରୋଧରେ ସେମାନଙ୍କ ଆଭିମୁଖ୍ୟ ଆଗରୁ ସ୍ପଷ୍ଟ କରିସାରିଛନ୍ତି । ତେଣୁ କଂଗ୍ରେସ ସମେତ ଏସବୁ ଦଳ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମତ ଦେଇପାରନ୍ତି ।

ସେପଟେ ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ମତ ଆଗତ ହେଲେ କଣ ରହିବ ୨୦ଜଣ ବିଜେଡି ବିଧାୟକଙ୍କ ଆଭିମୁଖ୍ୟ । ଅନାସ୍ଥା ଭୋଟକୁ ବିରୋଧ କରି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ସପକ୍ଷରେ ମତ ଦେବ ନା ବିରୋଧୀ ମେଂଟରେ ରହି ଅନାସ୍ଥା ଭୋଟ ସପକ୍ଷରେ ଯିବ ଏହାକୁ ନେଇ କଳ୍ପନା ଜଳ୍ପନା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହା ଆହୁରି ଦ୍ୱନ୍ଦ୍ୱ ତିଆରି କରିଛି । କାରଣ ନବୀନ କହିଛନ୍ତି କେନ୍ଦ୍ରରେ କ୍ଷମତାସୀନ ଉଭୟ ୟୁପିଏ ଓ ଏନଡିଏ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନରେ ଅବହେଳା କରିଛନ୍ତି ।

ତେଣୁ ଲୋକସଭାରେ ବିଜେଡି ତାର ଆଭିମୁଖ୍ୟ ସ୍ପଷ୍ଟ କରିବ । ସଂସଦରେ ବିଜେଡି ବିିଭିନ୍ନ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଆସୁଥିବାରୁ ଏହି ପ୍ରସଙ୍ଗରେ ନବୀନ କି ରଣନୀତି କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ଆନ୍ଧ୍ରରେ କ୍ଷମତାସୀନ ଟିଡିପି ଏହି ପ୍ରସଙ୍ଗରେ ଆଂଚଳିକ ଦଳଗୁଡିକର ସହଯୋଗ ଲୋଡିଥିବାବେଳେ ପୋଲଭରମ ପ୍ରସଙ୍ଗରେ ଓଡିଶାକୁ ଝଟକା ଦେଇଥିଲା । ଓଡିଶାର ଦାବିକୁ ଉଭୟ କେନ୍ଦ୍ର ଓ ଆନ୍ଧ୍ର ଅଣଦେଖା କରିଆସୁଥିଲେ । ୪ବର୍ଷ ଧରି କେନ୍ଦ୍ରରେ କ୍ଷମତା ସହିତ ରହିବା ପରେ ଟିଡିପିର ଏଭଳି ରଣନୀତିକୁ ନବୀନ କେତେଦୂର ଗ୍ରହଣ କରିବେ ।