ମୋଦି ସରକାରଙ୍କ ବିରୋଧରେ ଆଜି ଆସିପାରେ ଅନାସ୍ଥା ପ୍ରସ୍ତାବ ! ୱାଇଏସଆର କଂଗ୍ରେସ ଆଣିଲା ଦ୍ୱିତୀୟ ନୋଟିସ୍, ଟିଡିପିର ସମର୍ଥନ

3

କନକ ବ୍ୟୁରୋ : ପୁଣି ଅନାସ୍ଥା ପ୍ରସ୍ତାବ ଆଣିଲା ୱାଇଏସଆର କଂଗ୍ରେସ । ଟିଡିପି ଏହି ପ୍ରସ୍ତାବକୁ ସମର୍ଥନ କରିଛି । ସେହିପରି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରି କଂଗ୍ରେସ ତାର ସମସ୍ତ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ହ୍ୱିପ୍ ଜାରି କରିଛି । ଆରଜେଡି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛି । ଏହାସହ ସିପିଏମ୍ ମଧ୍ୟ ନୋଟିସ୍ ଦେଇଛି । ତେଣୁ ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ପୂର୍ବରୁ ଅନାସ୍ଥା ପ୍ରସ୍ତାବ ପାଇଁ ଟିଡିପି ନୋଟିସ୍ ଦେଇଥିଲା । ତେବେ ଲୋକସଭାରେ ହଟ୍ଟଗୋଳ ଯୋଗୁଁ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ହୋଇପାରି ନାହିଁ । ଲୋକସଭାର ଟିଡିପିର ୧୬ଜଣ ସଦସ୍ୟ ଥିବାବେଳେ ୱାଇଏସଆର କଂଗ୍ରେସର ୯ଜଣ ସଦସ୍ୟ ରହିଛନ୍ତି । ସେହିପରି କଂଗ୍ରେସର ୪୮ଜଣ ଓ ସିପିଆଇଏମର ୯ଜଣ ସଦସ୍ୟ ରହିଛନ୍ତିି ।

MODI

ତେବେ ବିଜେପିର ୨୭୫ଜଣ ସଦସ୍ୟ ରହିଥିବାରୁ ନିର୍ଭୟରେ ରହିଛି ବିଜେପି । ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ମୋଦି ସରକାର ଲୋକସଭାରେ ଆସ୍ଥା ହରାଇବା ସମ୍ଭାବନା କ୍ଷୀଣ । ହେଲେ ୨୦୧୪ରେ ସରକାର ଗଢିବା ବେଳେ ବିଜେପି ଓ ଏନଡିଏର ଯେଉଁ ଦମ୍ଭ ଥିଲା, ତାକୁ ଏକ ଶକ୍ତ ଧକ୍କା ଲାଗିବା ସମ୍ଭାବନା ଅଧିକ । ୪ ବର୍ଷର ମୋଦି ସରକାର ପ୍ରଥମ ଥର ଏକ ବଡ ପରୀକ୍ଷାର ସାମ୍ନା କରିପାରନ୍ତି । ଅନାସ୍ଥା ଆଗତ କରିବା ପାଇଁ ଆବଶ୍ୟକ ସଦସ୍ୟଙ୍କ ସମର୍ଥନ ରହିଥିବାରୁ ମୋଦିଙ୍କୁ ଲୋକସଭାରେ ବିଶ୍ୱାସ ଜିତିବାକୁ ପଡିବ ।

Comments are closed.