ଦେଶବ୍ୟାପୀ ବାଣ ଫୁଟା ଓ ବାଣ ବିକ୍ରି ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ : ସର୍ତ୍ତ ସହ ବାଣ ବିକ୍ରି ପାଇଁ ଅନୁମତି, ମାତ୍ର ୨ଘଣ୍ଟା ପାଇଁ ଫୁଟାଇପାରିବେ ବାଣ

90

ଦେଶବ୍ୟାପୀ ବାଣ ଫୁଟା ଓ ବାଣ ବିକ୍ରି ନେଇ ସୁପ୍ରିମକୋର୍ଟ ଆଜି ବଡ ରାୟ ଦେଇଛନ୍ତି । ଦୀପାବଳୀର ଠିକ୍ ପୂର୍ବରୁ ବାଣ ବିକ୍ରି ଉପରେ ବଡ ଫଇସଲା ଶୁଣାଇଛନ୍ତି । ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ନଲଗାଇ ସର୍ତ୍ତମୂଳକ ଭାବେ ବାଣ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । କେବଳ କମ୍ ପ୍ରଦୂଷଣ କରୁଥିବା ସବୁଜ ବାଣକୁ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି । ଏହା ସହିତ ଫ୍ଲିପକାର୍ଟ ଓ ଆମାଜନ ଭଳି ଇ-କମ୍ପାନୀଙ୍କ ଦ୍ୱାରା ଅନଲାଇନ୍ ବାଣ ବିକ୍ରି ଉପରେ କଟକଣା ଲଗାଇଛନ୍ତି । ସୁପ୍ରିମକୋର୍ଟ ଲେଡିଜ୍ ବା ସିରିଜ୍ ବାଣ ବିକ୍ରି ଉପରେ କଟକଣା ଲଗାଇଛନ୍ତି । ନିର୍ଦ୍ଦିଷ୍ଟ ସ୍ଥାନରେ ଓ ନିର୍ଦ୍ଧାରିତ ସମୟ ଭିତରେ ମଧ୍ୟରେ ବାଣ ଫୁଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ଫଇସଲା ମୁତାବକ, ଏବେ କେବଳ ଲାଇସେନ୍ସ ଧାରୀ ବିକ୍ରେତା ହିଁ ବାଣର ବିକ୍ରି କରିପାରିବେ ଏବଂ ଏହାର ଅନଲାଇନ୍ ବିକ୍ରି ଉପରେ ସଂପୂର୍ଣ୍ଣ ରୂପେ କଟକଣା ଲାଗାଯାଇଛି । ଯଦି କେହି ଅନଲାଇନ୍ ବିକ୍ରି କରୁଛନ୍ତି, ତାଙ୍କ ବିରୁଦ୍ଧରେ କୋର୍ଟର ଅବମାନନା ମାମଲା ଚାଲିବ । କୌଣସି ବି ଧାର୍ମିକ ପର୍ବ ଓ ବିବାହରେ ପ୍ରତିବନ୍ଧିତ କେମିକାଲ ଯୁକ୍ତ ବାଣ ର ବ୍ୟବହାର କରାଯାଇପାରିବନି । ନିର୍ଦ୍ଧାରିତ ଡେସିବଲ ଲିମିଟ୍ ଭିତରେ ଧ୍ୱନି ବାହାର କରୁଥିବା ବାଣ ହିଁ ଫୁଟାଇପାରିବେ । ସାରା ଦେଶରେ ବାଣ ଫୁଟାଇବା ଉପରେ ସମୟ ସୀମା ନିର୍ଦ୍ଧାରଣ କରାଯାଇଛି । ଦୀପାବଳୀ ଦିନ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଯାଇପାରିବ । ସେହିପରି ନୂଆ ବର୍ଷ ଓ ବଡ ଦିନ ଅବସରରେ ୧୧.୫୫ରୁ ୧୨,୩୦ ଟା ପର୍ଯ୍ୟନ୍ତ ହିଁ ବାଣ ଫୁଟାଯାଇପାରିବ ।

ବାଣ ବିକ୍ରି ଉପରେ କଟକଣା ଜାରି କରିବାକୁ ଗତବର୍ଷ ୩ ଜଣ ବାଳକ ସୁପ୍ରିମକୋର୍ଟରେ ଆବଦେନ କରିଥିଲେ । ଆବେଦନରେ ସେମାନେ ଦର୍ଶାଇଥିଲେ ପ୍ରଦୂଷଣ ଯୋଗୁଁ ସେମାନଙ୍କ ଫୁସଫୁସର ବିକାଶ ଠିକ ଭାବେ ହୋଇନାହିଁ । ଗତବର୍ଷ ସୁପ୍ରିମକୋର୍ଟ ଦୀପାବଳୀ ପୂର୍ବରୁ ବାଣ ବିକ୍ରୀ ଉପରେ କଟକଣା ଜାରି କରିଥିଲେ । ଏହା ସହ କହିଥିଲେ ନଭେମ୍ବର ପହିଲା , ୨୦୧୭ ଦୀପାବଳୀ ପରେ ବାଣ ବିକ୍ରି କରାଯାଇପାରିବ । ଦିଲ୍ଲୀର ପ୍ରଦୂଷଣ ନେଇ ଶୁଣାଣିବେଳେ ସୁପ୍ରିମକୋର୍ଟ ଗତବର୍ଷ ଦିଲ୍ଲୀ –ଏନସିଆରରେ ଏହି ବ୍ୟାନ ଲଗାଇଥିଲେ । ପରେ ଏଥିରେ ସଂଶୋଧନ କରି କିଛି ସର୍ତ୍ତ ସହିତ ଦୀପାବଳୀ ପରେ ବାଣ ବିକ୍ରି ପାଇଁ ଅନୁମତି ଦେଇଥିଲେ । ଏହାସହ ଲାଇସେନ୍ସ ସଂଖ୍ୟା ୫୦ ପ୍ରତିଶତ କମାଇବାକୁ ବି କହିଥିଲେ । ଏହା ସହ ଅନ୍ୟ ରାଜ୍ୟରୁ ବି ବାଣ ଆଣିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।