ଉଦଯାପନୀ ଉତ୍ସବରେ ଦେଖିବାକୁ ମିଳବନି ଷ୍ଟାର କ୍ରେଜ ! ଫିକା ପଡିପାରେ ଫାଇନାଲ, ନିରାଶ ହେବେ ଦର୍ଶକ

1,300

କନକ ବ୍ୟୁରୋ : ଫିକା ପଡିବ ହକି ବିଶ୍ୱକପ ଉଦଯାପନୀ ଉତ୍ସବ । କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବନି ଷ୍ଟାର କ୍ରେଜ । ମଳିଥିବା ସୂଚନା ଅନୁଯାୟୀ, ବିଶ୍ୱକପ ଫାଇନାଲର ଉଦଯାପନୀ ଉତ୍ସବରେ କୌଣସି ବଲିଉଡ ଷ୍ଟାର କିମ୍ବା କ୍ରିକେଟରଙ୍କୁ ଦେଖିବାକୁ ମିଳିବ ନାହିଁ । ଏପରିକି ଷ୍ଟାଡିୟମରେ କୌଣସି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିବ ନାହିଁ ବୋଲି ସୂଚନା ମିଳିଛି । ବଲିଉଡ ଷ୍ଟାର କିମ୍ବା କ୍ରିକେଟରଙ୍କୁ ନୁହେଁ ବରଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଦଯାପନୀ ଉତ୍ସବର ଅତିଥି ଭାବେ ଦେଖିବାକୁ ମିଳିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଶ୍ୱକପ ହକିର ଉଦଯାପନୀ ଉତ୍ସବରେ କଳିଙ୍ଗ ଷ୍ଟାଡିୟମରେ ବଲିଉଡ ତାରକାଙ୍କ ଭିଡ ଦେଖିବାକୁ ମିଳିବ ବୋଲି ଖବର ସାମ୍ନାକୁ ଆସିଥିଲା । ଉଦଯାପନୀ ଉତ୍ସବ ଏମିତି ହେବ ଯେ ପୂର୍ବରୁ ମଧ୍ୟ ଏଭଳି କେହି ଦେଖିନଥିବେ । ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ, କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ସାହିଦ କପୁର, ଅମୀର ଖାନ୍, ରାହୁଲ ଦ୍ରାବିଡଙ୍କ ଭଳି ବଡ ବଡ ତାରକା ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖି ଏମାନଙ୍କୁ ନିବେଦନ କରାଯାଇଥିବା କିଛି ଗଣମାଧ୍ୟମ ପକ୍ଷରୁ କୁହାଯାଇଥିଲା । ଆଉ ଉଦଯାପନୀ ଉତ୍ସବରେ ବଡ ବଡ ନାମୀଦାମୀ ଷ୍ଟାରଙ୍କୁ ପାଖରେ ଦେଖିବାର ସୁଯୋଗ ମିଳିବ ବୋଲି ଆଶା ବାନ୍ଧି ବସିଥିଲେ ଦର୍ଶକ । ଖାସ୍ ଏଥିପାଇଁ ଫାଇନାଲ ମ୍ୟାଚର ଟିକେଟ ମଧ୍ୟ ବିକ୍ରି ହେଉ ହେଉ ଶେଷ ହୋଇଯାଇଥିଲା । ଏତେ ବଡ ଷ୍ଟାର ମାନଙ୍କୁ ପାଖରୁ ଦେଖିବା ପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଥିଲା । କିନ୍ତୁ ଉଦଯାପନୀ ଉତ୍ସବରେ କୌଣସି ବଡ ଷ୍ଟାର ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି ।

ଆଉ ଏହି ଖବର ଜଣାପଡିବା ପରେ ନିରାଶ ହୋଇଛନ୍ତି କ୍ରୀଡାପ୍ରେମୀ । ଆଉ ଏହାସହ ଉଦଯାପନୀ ଉତ୍ସବ ପାଇଁ ଯେଉଁ କ୍ରେଜ ରହିଥିଲା ତାହା ଫିକା ପଡିଯାଇଛି । ଏହାପୂର୍ବରୁ ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ କଳିଙ୍ଗ ଷ୍ଟାଡିୟମରେ ବଲିଉଡର ବାଦଶାହା ଶାହାରୁଖ ଖାନ ଓ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ଦେଖାଇଥିଲେ ଜଲୱା । ଶାହାରୁଖଙ୍କ ଡାଇଲଗ ଓ ମାଧୁରୀଙ୍କ ନାଚରେ ମତୁଆଲା ହୋଇଥିଲେ ଦର୍ଶକ । ପରେ ବାରବାଟୀରେ ହୋଇଥିବା ଆଉ ଏକ ସେଲିବ୍ରେସନ ଉତ୍ସବରେ ବଲିଉଡର ଭାଇଯାନ ସଲମାନ ଖାନଙ୍କ ଜଲୱା ଦେଖିବାକୁ ମିଳିଥିଲା । ତେଣୁ ଉଦଘାଟନୀ ଭଳି ଉଦଯାପନୀ ଉତ୍ସବରେ ମଧ୍ୟ ବଲିଉଡ ତାରକାଙ୍କ ଝଲକ ଦେଖିବାକୁ ମିଳିବ ବୋଲି ଓଡ଼ିଶାବାସୀ ଆଶା ରଖିଥିଲେ । କିନ୍ତୁ କଳିଙ୍ଗ ଷ୍ଟାଡତିୟମରେ ସେହିଭଳି କୌଣସି ବଡ ଷ୍ଟାରଙ୍କୁ ଦେଖିବାକୁ ମିଳିବ ନାହିଁ ବୋଲି ସୂଚନା ମିଳିଛି ।