ଏଟିଏମ୍ ଅଛି ହେଲେ ଟଙ୍କା ନାହିଁ । ଟଙ୍କା ପାଇଁ ଏଟିଏମରୁ ଏଟିଏମ୍ ବୁଲି ଉପଭୋକ୍ତା ହତାଶ

36

କନକ ବ୍ୟୁରୋ: ସାରା ରାଜ୍ୟରେ ଅଧିକାଂଶ ଏସ୍ବିଆଇ ଏଟିଏମ୍ ବନ୍ଦ । କିଛି ଏଟିଏମ୍ରେ ସଟର୍ ପଡିଛି । ଯାହା କିଛି ଖୋଲା ଅଛି ସେଥିରେ କ୍ୟାସ ନାହିଁ । ଟଙ୍କା ପାଇଁ ଏଟିଏମ୍ରୁ ଏଟିଏମ୍ ବୁଲି ନିରାଶ ହୋଇ ଫେରୁଛନ୍ତି ଲୋକ । ଏକ ମାସରୁ ଅଧିକ ଦିନ ଧରି ଲାଗି ରହିଛି ଏହି ସମସ୍ୟା । ମଝିରେ କିଛିଟା ସୁଧାର ଆସିଥିଲା, ଏବେ ପୁଣି ଦେଖିବାକୁ ମିଳିଛି ଟଙ୍କାର ଘୋର ଅଭାବ । ରାଜଧାନୀରେ ଥିବା ଏସବିଆଇ ଏଟିଏମଗୁଡିକରେ କିଭଳି ରହିଛି ପରିସ୍ଥିତି, ରିୟଲିଟି ଚେକ୍ କରିଥିଲା କନକ ନ୍ୟୁଜ ।

ହାତରେ ଏଟିଏମ୍ କାର୍ଡ, ଟଙ୍କାର ଜରୁରୀ ଆବଶ୍ୟକତା, ହେଲେ ଏଟିଏମରେ ଟଙ୍କା ନାହିଁ । ଫଳରେ ନିରାଶ ହୋଇ ଫେରୁଛନ୍ତି ଲୋକ । ବ୍ୟାଙ୍କରେ ଟଙ୍କା ଥିଲେ ବି ଦରକାର ବେଳେ କାମରେ ଆସୁନାହିଁ । ପୁଣି ଦେଖାଦେଇଛି ଟଙ୍କାର ଘୋର ଅଭାବ ।

ଦେଶର ସବୁଠୁ ନିର୍ଭରଶୀଳ ବ୍ୟାଙ୍କ କୁହାଯାଉଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମର ଇଏ ହେଉଛି ଅସଲ ଚିତ୍ର । ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଏହି ସମସ୍ୟା ଗୁରୁତର ହୋଇପଡିଛି । କେଉଁଠି ସଟର ପଡିଛି ତ’ ଆଉ କେଉଁଠି ଏଟିଏମ୍ କାଁଉଟର ଖୋଲା ଥିଲେ ମଧ୍ୟ ଟଙ୍କା ନାହିଁ ବୋଲି ଲେଖା ହୋଇଛି । ଏହା ଦିନେ ଦୁଇ ଦିନର କଥା ନୁହଁ ଗତ କିଛି ଦିନ ହେବ ଏସ୍ବିଆଇ ଏଟିଏମରେ ଏଭଳି ଅବସ୍ଥା ଲାଗି ରହିଛି ।

କଣ ରହିଛି ଏଟିଏମରେ ଟଙ୍କା ନମିଳିବାର ପ୍ରକୃତ କାରଣ

– ୨୦୦୦ ଟଙ୍କିଆ ନୋଟ ଛପା ବନ୍ଦ, ୨୦୦୦ ଟଙ୍କାର ଘୋର ଅଭାବ

– ବ୍ୟାଙ୍କରୁ ଯେତିକି ଟଙ୍କା ଯାଉଛି, ବ୍ୟାଙ୍କକୁ ତା’ଠାରୁ ବହୁତ କମ୍ ଟଙ୍କା ଫେରୁଛି

– ୧୦ ପ୍ରତିଶତରୁ ଅଧିକ ଏସବିଆଇ ଏଟିଏମ୍ କାର୍ଯ୍ୟକ୍ଷମ ନୁହେଁ

ଦେଶରେ ପ୍ରାୟ ୫୯ ହଜାର ଏସବିଆଇ ଏଟିଏମ୍ ମଧ୍ୟରୁ ଓଡ଼ିଶାରେ ରହିଛି ପ୍ରାୟ ୩ ହଜାରରୁ ଅଧିକ ଏଟିଏମ୍ । ଅଧିକାଂଶ ଏଟିଏମରେ ଟଙ୍କା ନାହିଁ । ହେଲେ ଏସବିଆଇ ଅଧିକାରୀ କହୁଛନ୍ତି-ଖୁବଶୀଘ୍ର ସମାଧାନ ହୋଇଯିବ । ତେବେ କେବେ ଅବସ୍ଥା ସୁଧୁରିବ, ଏ ନେଇ ଚିନ୍ତାରେ ଗ୍ରାହକ ।