ପୋଡ଼ି ହୋଇଗଲେ କୁଆଡ଼େ ଯିବେ ! ରାଜଧାନୀରେ ନିଆଁ ପାଇଁ ଚିକିତ୍ସା ନାହିଁ

29

କନକ ବ୍ୟୁରୋ : ଆପଣ କିମ୍ବା ଆପଣଙ୍କ କୌଣସି ସମ୍ପର୍କୀୟ ନିଆଁରେ ପୋଡି ହୋଇଗଲେ କଣ କରିବେ । ସଙ୍ଗେ ସଙ୍ଗେ ଘର ପାଖରେ ଥିବା ବଡ ବଡ ହସ୍ପିଟାଲକୁ ଯିବେ । ହେଲେ ଆପଣ ଜାଣିଛନ୍ତି, ସେହି ହସ୍ପିଟାଲରେ ପୋଡା ରୋଗୀଙ୍କ ପାଇଁ ସମ୍ପୂର୍ଣ୍ଣ ଚିକିତ୍ସା ବ୍ୟବସ୍ଥା ଅଛି କି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜ୍ୟର ସାଢେ ୪ କୋଟି ଲୋକଙ୍କ ପାଇଁ ରହିଛି ମାତ୍ର ୪ଟି ହସ୍ପିଟାଲ୍ । ଯେଉଁଠି ପୋଡି ହୋଇଯାଇଥିବା ରୋଗୀଙ୍କ ପାଇଁ ସଂପୂର୍ଣ୍ଣ ଚିକିତ୍ସା ବ୍ୟବସ୍ଥା ରହିଛି । ଆଉ, ଯେକୌଣସି ରୋଗର ୨୪ ଘଂଟିଆ ସ୍ୱାସ୍ଥ୍ୟସେବାର ପ୍ରତିଶ୍ରୁତି ଦେଉଥିବା ହସ୍ପିଟାଲ୍ ଗୁଡିକରେ ନାହି ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍ । ଦେଖନ୍ତୁ ଏହି ରିପୋର୍ଟ ।

ଅଗଷ୍ଟ ୫, ରାତି ପ୍ରାୟ ୮ଟାରେ କ୍ୟାପିଟାଲ୍ ହସପିଟାଲ୍ ଅଣାଯାଇଥିଲା ସିଲିଣ୍ଡର ଫାଟି ଗୁରୁତର ପୋଡି ଯାଇଥିବା ଦମ୍ପତିଙ୍କୁ । ରାଜଧାନୀ ଉପକଂଠ ବାଲିପାଟଣାରେ ଘର ହୋଇଥିବାରୁ ସମ୍ପର୍କୀୟ ବିଳମ୍ବ ନକରି ସରକାରୀ ହସ୍ପିଟାଲ୍ ଆଣିଥିଲେ । ହେଲେ ଏଠି ନଥିଲା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍ । ଆଉ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ୍ ରେଫର କରିଦେଲେ । ଆଉ କଟକ ଯିବା ରାସ୍ତାରେ ଅଧିକ ଗୁରୁତର ହୋଇପଡିଲେ ଦମ୍ପତି ।

ସେହିପରି ଅଗଷ୍ଟ ୩ ତାରିଖରେ ସନସାଇନ୍ ହସପିଟାଲ୍ ଆସିଥିଲେ ରାଜଧାନୀର ପ୍ରତିଷ୍ଠିତ ବ୍ୟବସାୟୀ ପାଲ୍ ହାଇଟ୍ସର ମାଲିକ ସତପାଲ ସିଂଙ୍କ ୪ ବର୍ଷର ନାତି ରୁବିର ସିଂଙ୍କୁ । ଅଗ୍ନିକାଣ୍ଡରେ ଶ୍ୱାସରୁଦ୍ଧ ହୋଇ ଗୁରୁତର ହୋଇପଡିଥିବା ରୁବିରଙ୍କୁ ଡାକ୍ତର ଫେରାଇଦେଲେ । କାରଣ, ହସ୍ପିଟାଲରେ ନଥିଲା ବର୍ଣ୍ଣ ୟୁନିଟ୍ । ଅନ୍ୟ ହସପିଟାଲ ଯିବା ରାସ୍ତାରେ ପ୍ରାଣ ହରାଇଥିଲା ରୁବିର ।

ବ୍ରହ୍ମପୁରର ଏମକେସିଜି, କଟକର ଏସ୍ସିବି, ବୁର୍ଲାର ଭିମସାର ଏବଂ ରାଉରକେଲାର ଆଇଜିଏଚରେ ରହିଛି ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍ । ହେଲେ ରାଜଧାନୀର ସବୁଠାରୁ ବଡ ସରକାରୀ ହସ୍ପିଟାଲ କ୍ୟାପିଟାଲ୍ ହସ୍ପିଟାଲରେ ବର୍ଣ୍ଣ ୟୁନିଟ୍ ଅଛି ହେଲେ ନାହିଁ ପର୍ଯ୍ୟାପ୍ତ ଚିକିତ୍ସା ବ୍ୟବସ୍ଥା ।

ରାଜ୍ୟର ଏହି ୪ ଟି ହସପିଟାଲକୁ ବାଦ୍ ଦେଲେ ଅନ୍ୟ କିଛି ବଡ ବଡ ପ୍ରାଇଭେଟ୍ ହସପିଟାଲରେ ପୋଡି ଯାଇଥିବା ରୋଗୀଙ୍କ ପାଇଁ ଆଂଶିକ ଚିକିତ୍ସା ବ୍ୟବସ୍ଥା ରହିଛି । ହେଲେ ରୋଗୀ ଗୁରୁତର ହୋଇପଡିଲେ କଥା ସରିଲା । ରାଜଧାନୀର ବଡ ବଡ ହସପିଟାଲ୍ ଗୁଡିକ କିନ୍ତୁ ପ୍ରମୋସନ୍ ପାଇଁ ୨୪ ଘଂଟିଆ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାର ବିଜ୍ଞାପନ ମାଧ୍ୟମରେ ପ୍ରତିଶ୍ରୁତି ଦିଅନ୍ତି । ତେବେ ପ୍ରକୃତରେ ସେହି ହସପିଟାଲରେ ନାହିଁ ବର୍ଣ୍ଣ ୟୁନିଟ୍ ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସହ ଆକାଶକୁ ଛୁଇଁବା ଭଳି ବଡ ବଡ ବିଲଡିଂ ଦେଖିଲେ ମନେହୁଏ ସେଗୁଡିକରେ ସବୁ ରୋଗର ଉନ୍ନତ ଚିକିତ୍ସା ସମ୍ଭବ ହେଉଥିବ । କିନ୍ତୁ ବାସ୍ତବତା ପୁରା ଅଲଗା । ଓଡିଶାର ୪ କୋଟି ଲୋକଙ୍କ ପାଇଁ ମାତ୍ର ୪ଟି ହସ୍ପିଟାଲ୍ ।