ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଚିତ୍ର: ରକ୍ତ ଭଣ୍ଡାରରେ ରକ୍ତାଭାବ, ସଙ୍କଟରେ ରୋଗୀଙ୍କ ଜୀବନ

62

କନକ ବ୍ୟୁରୋ: ରକ୍ତ ଭଣ୍ଡାରରେ ରକ୍ତାଭାବ । ସଙ୍କଟରେ ରୋଗୀଙ୍କ ଜୀବନ । ଏପରି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଜିଲ୍ଲାରେ ଏକ ମାତ୍ର ରକ୍ତ ଭଣ୍ଡାରରେ ରକ୍ତାଭାବ ଯୋଗୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମମ୍ମୁଖିନ ହେଉଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ରକ୍ତ ସଂଗ୍ରହ ଦିଗରେ ବିଶେଷ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି । ସେପଟେ ରକ୍ତ ସଂଗ୍ରହ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ରକ୍ତ ଶୂନ୍ୟ ରକ୍ତ ଭଣ୍ଡାର । କେବଳ ଗୋଟାଏ ପ୍ୟାକେଟ ରକ୍ତକୁ ବାଦ ଦେଲେ, ରକ୍ତ ଭଣ୍ଡାରର ସବୁ ଫ୍ରିଜର ଖାଲି । ଏ ହୋଉଛି ମାଲକାନିଗିରି ଜିଲ୍ଲାରେ ଥିବା ଏକ ମାତ୍ର ରକ୍ତ ଭଣ୍ଡାରର ଚିତ୍ର । ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୫ରୁ ୨୦ ୟୁନିଟ ରକ୍ତ ଦରକାର ପଡୁଥିବା ବେଳେ ଅଛି ମାତ୍ର ଗୋଟାଏ ୟୁନିଟ । ଫଳରେ ରକ୍ତ ଆବଶ୍ୟକତା ପଡିଲେ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ରକ୍ତଦାତା ଖୋଜି ରକ୍ତ ଭଣ୍ଡାରକୁ ଆସୁଥିବା କହିଛନ୍ତି । ଆଉ ଯଦି ବ୍ଲଡ ଗ୍ରୁପ୍ ମ୍ୟାଚ ନହୁଏ ତେବେ କଥା ସରିଲା । ଏପରି ସ୍ଥିତିରେ ମାଲକାନଗିରି ଜିଲ୍ଲାରେ କେମିତି ଚାଲିଛି ଜରୁରୀ କାଳିନ ସ୍ୱାସ୍ଥ୍ୟ ବ୍ୟବସ୍ଥା, ତାହା ଯେ କେହି ବି ସହଜରେ ଅନୁମାନ କରି ପାରିବେ ।

ପୂର୍ବରୁ ପ୍ରତି ମାସରେ ୩୦୦ରୁ ୪୦୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରୁଥିଲା ରେଡ୍କ୍ରସ ସୋସାଇଟି ଓ ସ୍ୱାସ୍ଥ ବିଭାଗ । ଅନେକ ବେସରକାରୀ ସଙ୍ଗଠନ ଓ କ୍ଲବ ଗୁଡିକ ମଧ୍ୟ ଏ ଦିଗରେ ଆଗ୍ରହ ପ୍ରକାଶ କରୁଥିଲେ । ହେଲେ ଗତ ୨ ମାସ ପ୍ରଚଣ୍ଡା ଖରା ଯୋଗୁଁ ରକ୍ତଦାନ ଶିବିର ଆୟୋଜନ ହୋଇନଥିବା ଜଣାପଡିଛି । ସେପଟେ ରାଜ୍ୟ ସରକାର ରକ୍ତ ଅଦଳ ବଦଳ ନୀତି ବନ୍ଦ କରିବା ଯୋଗୁଁ ରକ୍ତ ସଂଗ୍ରହ ସଂଖ୍ୟା କମୁଥିବା କହିଛନ୍ତି ମାଲାକନଗିରି ସି.ଡି.ଏମ.ଓ । ଖୁବଶୀଘ୍ର ସମସ୍ୟା ଦୂର ହବ ବୋଲି କହିଛନ୍ତି ସି.ଡି.ଏମ.ଓ ଡାକ୍ତର ଅଜିତ କୁମାର ମହାନ୍ତି ।

୨୦୧୮ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲାକାନଗିରିରେ ୭ ମହଲା ବିଶିଷ୍ଟ ନୂଆ ଡାକ୍ତରଖାନା କୋଠା ଉଦଘାଟନ କରିଥିଲେ । ହେଲେ ପ୍ରାୟ ବର୍ଷେ ପରେ ବି ରକ୍ତ ଭଣ୍ଡାର ପୁରୁଣା ଡାକ୍ତରଖାନା ପରିସରରୁ ନୁତନ କୋଠାକୁ ସ୍ଥାନାନ୍ତର ହୋଇ ପାରିନାହିଁ ।