ଏମିତି ଏକ ଗାଁ ! ଯେଉଁଠି ପଞ୍ଚାୟତ ନାହିଁ, ସରପଞ୍ଚ ନାହାନ୍ତି , ପାଣି ମୁନ୍ଦାଏ ପିଇବା ପାଇଁ ଗ୍ରାମବାସୀଙ୍କ ଶେଷ ଭରସା ଚୁଆ

31

କନକ ବ୍ୟୁରୋ : ନାହିଁ ନାହିଁର ଉପାନ୍ତ ଗାଁ । ଯିବାକୁ ରାସ୍ତା ନାହିଁ, କି ବିଶୁଦ୍ଧ ପିଇବା ପାଣି ମୁନ୍ଦେ ମିଳୁନି । ବିନା ପଂଚାୟତ, ବିନା ସରପଂଚରେ ଚାଲିଛି ଗାଁ । ଗାଁଟି ପଂଚାୟତ ଅଧିନରେ ନଥିବାରୁ ସରକାରଙ୍କ କୌଣସି ମୌଳିକ ସୁବିଧା ସୁଯୋଗ ଗାଁ ଲୋକଙ୍କ ପାଖରେ ପହଂଚି ପାରୁନଥିବା ଅଭିଯୋଗ ହୋଇଛି । ଫଳରେ ଅଭାବ ଅନାଟନରେ ଚଳୁଛନ୍ତି ଚିତ୍ରକୋଣ୍ଡା ବିଛିନାଂଚଳ ପାପେରମେଟାଲ ଗ୍ରାମବାସୀ ।

ଲାଲ କରିଡର ଭାବେ ପରିଚିତ ଚିତ୍ରକୋଣ୍ଡା ବିଛିନାଂଚଳ ପାପେରମେଟାଲ ଗାଁ । ଗାଁକୁ ରାସ୍ତା ଖଣ୍ଡେ ନାହିଁ । ଆଣ୍ଠୁଏ ଆଣ୍ଠୁଏ ପାଣିରେ ଯାତାୟତ କରୁଛନ୍ତି ଲୋକ । ଗାଁର ପାନୀୟ ବ୍ୟବସ୍ଥା ମଧ୍ୟ ନ କହିବା ଭଲ । ନଳକୂପ ନଥିବାରୁ ଶୋଷ ମେଣ୍ଟାଇବାର ଶେଷ ଠିକଣା ଗାଁ ନିକଟ ଚୁଆ । ଏପରିକି ଗାଁ ପାଇଁ ପଂଚାୟତ କାର୍ଯ୍ୟାଳୟ ନାହିଁ କି ସରପଂଚ ବି ନାହାନ୍ତି । ଫଳରେ ଗ୍ରାମବାସୀ ସରକାରୀ ସୁବିଧା ସୁଯୋଗ ପାଇଁ ଅନ୍ୟ ପଂଚାୟତ ଉପରେ ନିର୍ଭର କରୁଛନ୍ତି ।

ଗ୍ରାମବାସୀ କୌଣସି ଆବଶ୍ୟକତା ପାଇଁ ପଡ଼ୋଶୀ ସରପଂଚଙ୍କ ଉପରେ ନିର୍ଭର କରନ୍ତି । ସରପଂଚ ପାଖକୁ ଯିବା ପାଇଁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ଦୁଃଖର ସହ କହିଛନ୍ତି ଗ୍ରାମବାସୀ । ମୁଖ୍ୟତଃ ମୁଲ ମଜୁରୀ ଲାଗି ପେଟ ପୋଷୁଥିବା ଏ ଅଚଂଳବାସୀଙ୍କ ପାଖରେ ସରକାରୀ ଯୋଜନା ପହଂଚିପାରୁନଥିବା ବେଳେ ଏଠାରେ ମାଓବାଦୀଙ୍କ ରାଜ ଚାଲେ ।