ମେଣ୍ଟ ନୁହେଁ ଏକା ଲଢ଼ିବୁ ! ସାମ୍ବାଦିକ ସମ୍ମିଳନୀରେ ବିଜେପି ଚାଣକ୍ୟଙ୍କ ଦୃଢ଼ୋକ୍ତି

37

କନକ ବ୍ୟୁରୋ : ଓଡିଶାରେ ମେଣ୍ଟ ହେବାର ପ୍ରଶ୍ନ ଉଠୁନି । ଏକାକୀ ଲଢ଼ିବ ବିଜେପି ଆଉ ୧୨୦ ଆସନ ଜିତିବ । ଭୁବନେଶ୍ୱରରେ ଆୟାଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦୃଢ଼ୋକ୍ତି ଦେଖାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ପଞ୍ଚାୟତ ନିର୍ବାଚନର ସଫଳତା ବଖାଣି ଅନେକ ପ୍ରସଙ୍ଗ ଉଠାଇଛନ୍ତି ଅମିତ ।

ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହା କହିଛନ୍ତି, ମୋଦି ସରକାରକୁ ୩ ବର୍ଷ ପୂରଣ ହୋଇଛି । ଏହି ସମୟ ମଧ୍ୟରେ ଦେଶ ଆଗକୁ ଯାଇଛି । ଦେଶର ଆମୁଳଚୁଳ ପରିବର୍ତ୍ତନ ହୋଇଛି । ପୂର୍ବ ସରକାର ସମୟରେ ବିକାଶ ଠପ ହୋଇଥିଲା । ୩ବର୍ଷ ଭିତରେ ଗରୀବ, ଦଳିତଙ୍କ ଉତ୍ଥାନ ପାଇଁ ବ୍ୟବସ୍ଥା ହୋଇଛି । ବ୍ୟାଙ୍କ ଖାତା, ଗ୍ୟାସ କନେକ୍ସନର ଉଦାହରଣ ଦେଇଛନ୍ତି ଶାହ । ୭କୋଟି ଲୋକ ବ୍ୟାଙ୍କ ଆକାଉଣ୍ଟରେ ଯୋଡି ହୋଇଛନ୍ତି । ଠିକ ସେମିତି ସର୍ଜିକାଲ ଷ୍ଟ୍ରାଇକର ଉଦାହରଣ ଦେଇଛନ୍ତି ସେ । ଶାହା କହିଛନ୍ତି ସର୍ଜିକାଲ ଷ୍ଟ୍ରାଇକ ପରେ ସାରା ବିଶ୍ୱ ଦେଶର ଶକ୍ତି ଦେଖିଛି । କୃଷି ଓ କୃଷକଙ୍କୁ ଆଗକୁ ନେବାକୁ ପ୍ରୟାସ ହୋଇଛି ବୋଲି କହିଛନ୍ତି ଶାହା ।

ଓଡିଶାରେ ବଡ ଦୁର୍ନିତୀ ହୋଇଛି ବୋଲି କହିଛନ୍ତି ଅମିତ ଶାହ । କେବଳ ମାଗାଜିନରୁ ପୁରସ୍କାର ନେଲେ ବିକାଶ ହେବ ନାହିଁ । ୧୭ ବର୍ଷରେ ଯେତିକି ବିକାଶ ହେବା କଥା ସେତିକି ହୋଇନି । ଚିଟଫଣ୍ଡ, ଖଣି ଦୁର୍ନିତୀ ନେଇ ସୁପ୍ରିମ କୋର୍ଟ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି ଅବ୍ୟବସ୍ଥା ଭିତରେ ଗତି କରୁଛି ଓଡିଶା । ଶାହା କହିଛନ୍ତି ଆମେ ବିଜେଡି ଉପରେ ରାଗୁନୁ କିନ୍ତୁ ବିକାଶ ହେଉ ନଥିବାରୁ ରାଗୁଛୁ । ଦାନ ମାଝି ଘଟଣା ଓଡିଶାର ସମ୍ମାନକୁ ମଳିନ କରିଛି । ଏଠି ବିଜେଡି, କଂଗ୍ରେସ ଖସିବେ ଓ ବିଜେପି ଆଗେଇବ ବୋଲି କହିଛନ୍ତି ସେ । ଓଡିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହାୟତା ମଳିନଥିବା କହିଛନ୍ତି ଅମିତ । ବିଜେପିର ୧୨୦ ପ୍ଲସ ମିଶନ ଅନେକଙ୍କୁ ଅସମ୍ଭବ ଲାଗୁଛି କାରଣ ସେମାନଙ୍କ ବୟସ ବଢ଼ିଗଲାଣି ବୋଲି କଟାକ୍ଷ କରିଛନ୍ତି । ସାରା ଦେଶରେ ମୋଦି ଟ୍ରେଣ୍ଡ ଚାଲିଛି ଏବଂ ଓଡିଶାରେ ମଧ୍ୟ ସେହି ଟ୍ରେଣ୍ଡ ବୋଲି କହିବା ସହ ୨୦୧୯ରେ କିଏ ବିଜେପିର ଚେହେରା ହେବ ତାହା ସ୍ଥିର ହୋଇ ନଥିବା କହିଛନ୍ତି ସେ । ମହାନଦୀ ପ୍ରସଙ୍ଗରେ ମତ ରଖିଛନ୍ତି ଅମିତ ଶାହା । ସେ କହିଛନ୍ତି ଓଡିଶାର ସ୍ୱାର୍ଥ ହାନୀ ହେବାକୁ ଦିଆଯିବନି ।