କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ , ବିନା ଆଧାର କାର୍ଡରେ ଚାଷୀଙ୍କୁ ମିଳିବନି ଟଙ୍କା !

203

୧ ଫେବ୍ରୃଆରୀରେ ମୋଦି ସରକାର ଅନ୍ତରୀଣ ବଜେଟରେ କୃଷକ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଘୋଷଣା କରିବା ପରେ ପୂରା ଦେଶରେ କୃଷକ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା । ଏହି ଯୋଜନା ଅନୁଯାୟୀ, ୨ ହେକ୍ଟର ଜମିରୁ କମ ଜମି ଥିବା ଚାଷୀଙ୍କୁ ବର୍ଷକୁ ୬୦୦୦ ହଜାର ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ତେବେ ଏହି ସହାୟତା ରାଶି ପାଇଁ ଚାଷୀଙ୍କ ପାଖରେ ଆଧାରକାର୍ଡ ଥିବା ଆବଶ୍ୟକ ।  ତେବେ ପ୍ରଥମ ପର୍ଯ୍ୟାୟରେ ଯେଉଁ ସହାୟତା ରାଶି ମିଳିବ ସେଥିପାଇଁ ଆଧାରକାର୍ଡର କୌଣସି ଆବଶ୍ୟକତା ପଡିବ ନାହିଁ ।  ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କୁ ୨ ହଜାର ଟଙ୍କା ମିଳିବାକୁ ଥିବା ବେଳେ ୩୧ ମାର୍ଚ୍ଚ ସୁଦ୍ଧା ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିଯିବ ।

ପ୍ରଥମ ପର୍ଯ୍ୟାୟରେ ମିଳିବାକୁ ଥିବା ସହାୟତା ରାଶି ପାଇଁ  ଆଧାର ନମ୍ବର ଅପରିହାର୍ଯ୍ୟ ନୁହେଁ । କେବଳ ଡ୍ରାଇଭିଂ ଲାଇସେନ୍ସ, ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ରୋଜଗାର କାର୍ଡ ଦେଇ ପ୍ରଥମ ପର୍ଯ୍ୟାୟରେ ଟଙ୍କା ପାଇପାରିବେ ଚାଷୀ । କିନ୍ତୁ ଏହାପରେ ସହାୟତା ରାଶି ପାଇବା ପାଇଁ ଆଧାର ନମ୍ବର ଅପରିହାର୍ଯ୍ୟ ରହିବ । ରାଜ୍ୟ ସରକାରଙ୍କୁ ଏନେଇ କୃଷି ମନ୍ତ୍ରାଳୟ ପକ୍ଷରୁ ଅବଗତ କରାଯାଇଛି । ଏପରିକି ଗ୍ରାମାଞ୍ଚଳରେ ରହୁଥିବା ଚାଷୀ ମାନଙ୍କର ଡାଟାବେସ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହି ଡାଟାବେସ ଆଧାରରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ କେନ୍ଦ୍ର ସରକାର ।

ମୋଦି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଏହି ଯୋଜନାର ଫାଇଦା ୧୨ କୋଟି ଚାଷୀ ପାଇବେ । ଏହି ଯୋଜନା ଅନୁଯାୟୀ, ସରକାର ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।