ଜିଲ୍ଲାପାଳ ଓ ଏସପି ଅଫିସରେ ଡଙ୍ଗରିଆ କନ୍ଧ : ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ନିୟମିଗିରିରେ ରହୁଥିବା ଆଦିମ ଜନଜାତି

80

ରାୟଗଡା : ଜିଲ୍ଲାପାଳ ଓ ଏସପି ଅଫିସରେ ଡଙ୍ଗରିଆ କନ୍ଧ । ମୌଳିକ ସୁବିଧା ଦାବି ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ନିୟମିଗିରିରେ ରହୁଥିବା ଆଦିମ ଜନଜାତି । ସେପଟେ ଡଙ୍ଗରିଆଙ୍କ ଦାବିକୁ ସ୍ୱାଗତ କରିଛନ୍ତି ଜିଲ୍ଲାପାଳ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ମୁନିଖୋଲ ପଂଚାୟତ ଅଧିନରେ ଅଛି ୩୦ଟି ଗାଁ । ଏହାରି ଭିତରୁ ୨୭ଟି ଗାଁ ନିୟମଗିରି ପାହାଡ ଉପରେ ରହିଛି । ଆଉ ଏଠି ବସବାସ କରନ୍ତି ଆଦିମଜନଜାତି ଡଙ୍ଗରିଆ କନ୍ଧ । ନିୟମରାଜାକୁ ଜଗି ରହିଥିବା ଏହି ଡଙ୍ଗରିଆମାନେ ବହୁ ଅସୁବିଧାରେ ଜୀବନ କାଟୁଛନ୍ତି । ଏଠି ଗମନାଗମନ ପାଇଁ ଖଣ୍ଡେ ଭଲ ରାସ୍ତା ନାହିଁ । ମାଇଲ ମାଇଲ୍ ପାହାଡିଆ ରାସ୍ତା ଦେଇ ଏମାନେ ଯା’ଆସ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଆଉ ପାନୀୟ ଜଳ କଥା ନ କହିବା ଭଲ ।

ପ୍ରଶାସନକୁ ବାରମ୍ବାର ବିରୋଧ କରୁଥିବା ଡଙ୍ଗରିଆ ମାନେ ନିଜ ହକ୍ ପାଇଁ ଆଗକୁ ଆସିଛନ୍ତି । ମୌଳିକ ସୁବିଧା ସାଙ୍ଗକୁ ମୁନିଖୋଲ ବଦଳରେ ସୁଟାଙ୍ଗୁଣୀକୁ ଏକ ସ୍ୱତନ୍ତ୍ର ଗ୍ରାମପଂଚାୟତ ପାଇଁ ପ୍ରଶାସନ ପାଖରେ ଦାବି ରଖିଛନ୍ତି । ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଛନ୍ତି ନିୟମଗିରିର ଡଙ୍ଗରିଆ କନ୍ଧ । ଜିଲ୍ଲା ପ୍ରଶାସନ ଏମାନଙ୍କ ଦାବିକୁ ସ୍ୱାଗତ କରିବା ସହ ଏହା ବିକାଶଧାରାର ପ୍ରଥମ ପାହଚ ବୋଲି କହିଛନ୍ତି । ତେବେ ଡଙ୍ଗରିଆଙ୍କ ବିକାଶ କ୍ଷେତ୍ରରେ ପ୍ରଶାସନ କେବେ ପଛଘୁଂଚା ଦେବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ନିୟମଗିରି ଖଣିଖନନକୁ ନେଇ ପ୍ରଶାସନକୁ ବିରୋଧ କରୁଥିବା ଡଙ୍ଗରିଆ କନ୍ଧ ନିଜ ହକ୍ ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।