ଜେଡିୟୁ କାହାର ? ବିହାରରେ ଆରମ୍ଭ ହେଲା ନୀତିଶ- ଶରଦ ଲଢେଇ

46

କନକ ବ୍ୟୁରୋ : ଜେଡିୟୁ ଦଳର ପ୍ରକୃତ ଉତ୍ତରାଧିକାରୀ ପାଇଁ ଆରମ୍ଭ ହେଲା ଲଢେଇ । ଦୁଇ ବନ୍ଧୁ ଥିବା ନେତା ଏବେ ରାଜନୀତିର ପଶାପାଲିରେ ପାଲଟିଯାଇଛନ୍ତି ପରସ୍ପରର ପରମ ଶତ୍ରୁ । ବିହାର ରାଜନୀତିର ରଙ୍ଗମଞ୍ଚରେ ଏବେ ପ୍ରତିଦିନ ଜେଡିୟୁ ଦଳର ନୂଆ ନୂଆ ନାଟକ ଦେଖିବାକୁ ମିଳୁଛି । ଲାଗୁଛି ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ଅବସ୍ଥା ଯେପରି ହୋଇଥିଲା ତାହାର ପୁନରାବୃତ୍ତି ବିହାରରେ ଜେଡିୟୁ ଦଳ ସହ ହେବାକୁ ଯାଉଛି । ଗତକିଛି ଦିନ ପୂର୍ବେ ମହାଗଠବନ୍ଧନକୁ ବାୟ ବାୟ କରି  ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରିଥିଲା ଜେଡିୟୁ ।ଦୀର୍ଘ ୪ ବର୍ଷ ପରେ ପୁଣିଥରେ ଘରବାହୁଡା କରିଥିଲେ ନୀତିଶ ।

ତେବେ ଆଜି ମୁଖ୍ୟମନ୍ତ୍ରୀ ନିବାସରେ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଦଳ କେନ୍ଦ୍ରରେ ଥିବା ଏନଡିଏ ସରକାର ସହ ସାମିଲ ହେବାକୁ ସର୍ବସମତ୍ତିରେ ପ୍ରସ୍ତାବ ପାରିତ ହୋଇଛି । କିନ୍ତୁ ନୀତିଶଙ୍କ ଏହି ନିଷ୍ପତିକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଜେଡିୟୁର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ଯାଦବ ।  ସେ ଖୋଲାଖୋଲି ଭାବେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ନିଆଯାଇଥିବା ନିଷ୍ପତିକୁ ବିରୋଧ କରିବା ସହ ନିଜ ସମର୍ଥକ ଓ ଆରଜେଡି କର୍ମୀଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ ବାସଭବନ ନିକଟରେ ନୀତିଶ ବିରୋଧୀ ନାରା ଦେଇଛନ୍ତି ।

ସେହିପରି ଶରଦ ଯାଦବଙ୍କୁ ସମର୍ଥନ କରି ଲାଲୁ କହିଛନ୍ତି, ‘ ଆଜି ହୋଇଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଜେଡିୟରୁ ନଥିଲା ବରଂ ବିଜେପିର ଥିଲା ।  ଦୁର୍ନୀତିରେ ଉଭୟ ନୀତିଶ ଓ ସୁଶୀଲ ମୋଦି ନାଁ ସାମ୍ନାକୁ ଆସିବା ପରେ ଉଭୟ ଏଥିରୁ ବଞ୍ଚିବା ପାଇଁ ହାତ ମିଳାଇଛନ୍ତି ।

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଚାଲୁଥିବା ବେଳେ ଅନ୍ୟପଟେ ଶରଦ ଯାଦବ ମଧ୍ୟ ସମାନ୍ତରଳ ଭାବେ ନିଜ ସମର୍ଥକଙ୍କୁ ନେଇ ଅନ୍ୟ ଏକ ବୈଠକ କରିଥିଲେ । ତେବେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପରେ ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି, ନୀତିଶ କୁମାରଙ୍କୁ ୧୫ଟି ରାଜ୍ୟର ସଭାପତିଙ୍କ ସମର୍ଥନ ରହିଛି । ପୂରା ଦଳ ଏବେ ନୀତିଶଙ୍କ ସହ ଅଛି । ତା ଛଡା ଦୁର୍ନୀତିରେ ବୁଡି ରହିଥିବା କଂଗ୍ରେସ ଓ ଆରଜେଡି ଦଳ ଶରଦ ଯାଦବଙ୍କ ମତିଭ୍ରମ କରିଛନ୍ତି  । ତେଣୁ ସେ ଏପରି କରୁଛନ୍ତି । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଶରଦ ଯାଦବଙ୍କୁ ନେଇ କୌଣସି ନିଷ୍ପତି ନିଆଯାଇନାହିଁ । ଅଗଷ୍ଟ ୨୭ ପରେ ଶରଦଙ୍କୁ ନେଇ ଯାହା କିଛି ନିଷ୍ପତି ନିଆଯିବ । ଯଦି ଅଗଷ୍ଟ ୨୭ରେ ଲାଲୁଙ୍କ ଆରଜେଡି ର୍ୟାଲିରେ ଶରଦ ଯୋଗ ଦିଅନ୍ତି ତେବେ ତାଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନେବ ।

ତେବେ ଶରଦଙ୍କ ସମର୍ଥକଙ୍କ କହିବା ଅନୁଯାୟୀ, ଜେଡିୟୁ ଦଳର ପ୍ରକୃତ ଉତ୍ତରାଧିକାରୀ ହେଉଛନ୍ତି ଶରଦ । କାରଣ ୧୯୯୯ ମସିହାରେ ନୀତିଶ ଓ ଜର୍ଜ ଫର୍ଣ୍ଣାଣ୍ଡିଜ ରାଜନୈତିକ ଫାଇଦା ପାଇଁ ନିଜର ସମତା ପାର୍ଟିକୁ ଶରଦ ଯାଦବଙ୍କ ଜେଡିୟୁ ଦଳରେ ବିଲୟ କରିଥିଲେ । କିନ୍ତୁ ସମୟ ବିତିବା ସଙ୍ଗେ ସଙ୍ଗେ  ଦଳ ଭିତରେ ନୀତିଶ ଏକଚାଟିଆ ଶାସନ କରିଥିଲେ । ଯାହାକୁ  ସହଜରେ ଗ୍ରହଣ କରି ପାରିନଥିଲେ  ଶରଦ । ତେବେ କିଛିଦିନ ପୂର୍ବେ ନାଟକୀୟ ଘଟଣା କ୍ରମେ ନୀତିଶ ମହାମେଣ୍ଟର ହାତଛାଡି ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରିବା ପରେ ଦଳ ଭିତରେ ଦେଖା ଦେଇଥିଲା କନ୍ଦଳ । ନୀତିଶଙ୍କ ନିଷ୍ପତିକୁ ଖୋଲାଖୋଲି ବିରୋଧ କରିଥିଲେ ଶରଦ । ଏସବୁ ଭିତରେ ଦଳ ଭିତରେ ଶରଦଙ୍କୁ କୋଣଠେସା କରିବା ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ । ପୂର୍ବରୁ ତାଙ୍କୁ ରାଷ୍ଟ୍ରୀୟ ସଭାପତି ପଦରୁ ବହିଷ୍କାର କରାଯାଇଥିଲା । ଏବେ ତାଙ୍କୁ ରାଜ୍ୟସଭାରେ ସଂସଦୀୟ ଦଳ ସଭାପତି  ପଦରୁ ବିତାଡିତ କରିବା ପରେ ଲଢେଇ ଉଗ୍ର ରୂପ ଧରିଛି ।

ଏହାଭିତରେ ନୀତିଶ ଗୋଷ୍ଠୀ ତାଙ୍କୁ ଦଳରୁ ବହିଷ୍କାର କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା କଥା ସାମ୍ନାକୁ ଆସୁଛି । ଏନେଇ ଶରଦ କହିଛନ୍ତି, ଜେଡିୟୁ ହେଉଛି ତାଙ୍କ ନିଜ ଦଳ । ଯଦି କାହାର ସାହସ ଅଛି ତେବେ ତାଙ୍କୁ ଦଳରୁ ବାହାର କରି ଦେଖୁ । ତେବେ ଶରଦଙ୍କ ସମର୍ଥକଙ୍କ କହିବା ଅନୁଯାୟୀ, ଜେଡିୟୁର ପ୍ରକୃତ ଉତ୍ତରାଧିକାରୀ କିଏ ତାହା ନିର୍ବାଚନ ଆୟୋଗ ସ୍ପଷ୍ଟ କରିବେ । ଏଥିପାଇଁ ଯଦି ଆଇନଗତ ଲଢେଇ ଲଢିବାକୁ ପଡେ ତେବେ ଆମେ ସେଥିପାଇଁ ପ୍ରସ୍ତୁତ । ଏହି ଘଟଣା ପରେ ବିହାର ରାଜନୀତିର ପାଣିପାଗ କେଉଁ ଆଡକୁ ଗତି କରୁଛି ତାହା ଦେଖିବାକୁ ବାକି ରହିଲା ।