ବିହାରର ପ୍ରଳୟଙ୍କାରୀ ବନ୍ୟା ପାଇଁ ମୂଷା ଦାୟୀ !

49

କନକ ବ୍ୟୁରୋ : ଗତ କିଛିଦିନ ପୂର୍ବେ ବିହାରରେ ଦେଖା ଦେଇଥିଲା ପ୍ରଳୟଙ୍କାରୀ ବନ୍ୟା । ପୂରା ବନ୍ୟାରେ ବିହାର ସ୍ଥିତି ଅସମ୍ଭାଳ ହୋଇଯାଇଥିଲା । ଏପରିକି କିଛିଦିନ ଧରି ସାଧାରଣ ଲୋକଙ୍କ ଜୀବନଯାତ୍ରା ଏକରକମର ଠପ ହୋଇଯାଇଥିଲା । ତେବେ ବିହାରରେ ଏତେବଡ ବନ୍ୟାର କାରଣ ସରକାର ଖୋଜୁଥିବା ବେଳେ ନିତୀଶ ସରକାରରେ ଜଳ ସମ୍ପଦ ମନ୍ତ୍ରୀ ଥିବା ରାଜୀବ ରଞ୍ଜନ ସିଂହଙ୍କ ବୟାନକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।

ପୂର୍ବରୁ ମଦ ପିଇଥିବା ନେଇ ଚର୍ଚ୍ଚାରେ ଥିବା ବିହାରୀ ମୂଷା ଏବେ ପୁଣିଥରେ ଆସିଛି ଚର୍ଚ୍ଚାର ପରିସରକୁ । ବିହାରରେ ହୋଇଥିବା ବିନାଶକାରୀ ବନ୍ୟା ପାଇଁ ମୂଷା ଦାୟୀ । ଏଥିପାଇଁ ମୂଷାକୁ ଦୋଷୀ କରିଛନ୍ତି ବିହାରର ଜଳ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ । ମୂଷାମାନେ ବନ୍ଧ ଖୋଳି ଦେବା କାରଣରୁ ରାଜ୍ୟର ୨୧ ଜିଲ୍ଲାରେ ବନ୍ୟା ହେଲା ଏବଂ ସେଥିପାଇଁ ୫୦୦ ଲୋକଙ୍କର ମୃତ୍ୟୁ ହେବା ସହ ଲକ୍ଷ ଲକ୍ଷ ଲୋକ ବାସହରା ହେଲେ ବୋଲି ମନ୍ତ୍ରୀ କହିଛନ୍ତି ।

ଶୁକ୍ରବାର ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ମନ୍ତ୍ରୀ କହିଛନ୍ତି ଯେ, ନଦୀବନ୍ଧ ଅଞ୍ଚଳରେ ରହୁଥିବା ଲୋକମାନେ ବନ୍ଧ ଉପରେ ଖାଦ୍ୟଶସ୍ୟ ରଖି ମୂଷା ମାନଙ୍କୁ ଆମନ୍ତ୍ରଣ କରୁଛନ୍ତି । ଏପରିକି ଏଠାରେ ମୂଷା ମାନେ ଖାଦ୍ୟ ଖାଇବା ସହ ଗାତ ଖୋଳୁଥିବାରୁ ନଦୀବନ୍ଧ ଦୁର୍ବଳ ହୋଇଯାଉଛି । ନଦୀବନ୍ଧରେ ମୂଷା ମାନେ ଏପରି ଗାତ ଖୋଳିବା ଦ୍ୱାରା ବନ୍ୟା ସମୟରେ ଏହି ନଦୀବନ୍ଧ ଭାଙ୍ଗି ଯାଉଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ।

ତେବେ ପ୍ରଳୟଙ୍କାରୀ ବନ୍ୟାରେ ଅଳ୍ପକିଛି ନଦୀବନ୍ଧରେ ଘାଇ ହେବା ପରେ ୭୨ ଘଣ୍ଟା ମଧ୍ୟରେ ସରକାର ଅନ୍ୟସବୁ ବନ୍ଧର ମରାମତି କରିବାରୁ ଅନେକ ଅଞ୍ଚଳ ବନ୍ୟା ଦାଉରୁ ରକ୍ଷା ପାଇ ଯାଇଛି । ତେବେ ମନ୍ତ୍ରୀଙ୍କ ଏଭଳି ପିଲାଳିଆମି ବୟାନକୁ ନେଇ ଆରମ୍ଭ ହୋଇଛି ରାଜନୀତିି । ମନ୍ତ୍ରୀଙ୍କ ଏଭଳି ବୟାନ ପରେ ବିରୋଧୀ ଆରଜେଡି ସରକାରଙ୍କୁ ଘେରିବାକୁ ସହଜ ବାଟ ପାଇ ଯାଇଛି ।

ଆରଜେଡିର ବରିଷ୍ଠ ନେତା ଅବଦୁଲ ସିଦ୍ଦିକି କହିଛନ୍ତି ଯେ, ମନ୍ତ୍ରୀଙ୍କ ବୟାନରୁ ଲାଗୁଛି ଯେ ବିହାରରେ ସରକାରଙ୍କ ଠାରୁ ମୂଷା ଅଧିକ ଶକ୍ତିଶାଳୀ । ସରକାରଙ୍କୁ ଆକ୍ଷେପ କରିବା ଆଳରେ ସେ କହିଛନ୍ତି, ନିତୀଶ ସରକାର ଏବେ ନିଜ ନାକ ଓ କାନକୁ ସୁରକ୍ଷା ଦେବା ଆବଶ୍ୟକ । ନଚେତ ମୂଷା ନଦୀବନ୍ଧକୁ ନଷ୍ଟ କରିବା ଭଳି ସରକାରଙ୍କୁ ଦୁର୍ବଳ କରିଦେବ । ତା ଛଡା ବିହାରରେ ମୂଷା ଯେହେତୁ ଏତେ ଶକ୍ତିଶାଳୀ ତେଣୁ ଶାସନଗାଦି ମୂଷାଙ୍କ ହାତରେ ଦେଇଦେବା ଆବଶ୍ୟକ ବୋଲି ଅବଦୁଲ କହିଛନ୍ତି ।ଏସବୁ ଭିତରେ ବିଭାଗୀୟ ମୁଖ୍ୟ ସଚିବ ଅଞ୍ଜନୀ କୁମାର ସିଂହ ମଧ୍ୟ ବନ୍ୟା ସମସ୍ୟା ପାଇଁ ମୂଷାଙ୍କୁ ଦାୟୀ କରିଛନ୍ତି।

ବିହାରରେ ମୂଷାକୁ ବିଭିନ୍ନ ଘଟଣାରେ ଦୋଷୀ କରିବା କିଛି ନୂଆ କଥା ନୁହେଁ । ମହାଗଠବନ୍ଧନ ସରକାରରେ ନିତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିହାରରେ ମଦ ନିଷିଦ୍ଧ କରିଥିଲେ । ମଦ ନିଷିଦ୍ଧ କରିବା ପରେ ସମସ୍ତ ମଦକୁ ଜବତ କରିଥିଲା ପୋଲିସ । ଜବତ ହୋଇଥିବା ମଦକୁ ଥାନାରେ ରଖାଯାଇଥିଲା । ତେବେ ଦିନକୁ ଦିନ ଜବତ ହୋଇଥିବା ମଦର ପରିମାଣ କମୁ ଥିବାର ଜଣା ପଡିଥିଲା । ସେତେବେଳେ ଜଣେ ପୋଲିସ ଅଧିକାରୀ କହିଥିଲେ ଯେ, ଥାନରେ ରହୁଥିବା ମଦକୁ ମୂଷା ମାନେ ପିଇ ଯାଉଛନ୍ତି । ସେତେବେଳେ ପୋଲିସର ଏଭଳି ବୟାନକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ପରେ ନିତୀଶ କୁମାର ଥାନାରେ ଥିବା ସମସ୍ତ ମଦକୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।