ଏନଡିଏରେ ମିଶିଲା ଜେଡିୟୁ ! ମୋଦିଙ୍କ ସହ ନୀତିଶ କୁମାର, ଲାଲୁଙ୍କ ସହ ଶରଦ ଯାଦବ

20

କନକ ବ୍ୟୁରୋ : ଏନଡିଏରେ ସାମିଲ ହେବ ନୀତିଶ କୁମାରଙ୍କ ଜେଡିୟୁ । ଏନେଇ ଆଜି ଜେଡିୟୁର କାର୍ଯ୍ୟକାରିଣୀ ବୈଠକରେ ବିଧିବଦ୍ଧ ପ୍ରସ୍ତାବ ପାରିତ ହୋଇଛି । ନୀତିଶ କୁମାରଙ୍କ ବାସଭବନରେ ଆଜି ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ମହାମେଂଟରୁ ଓହରିଯିବା ପରେ ଏନଡିଏରେ ସାମିଲ ହେବା ନେଇ ଆଜି ବିଧିବଦ୍ଧ ଭାବେ ଏହି ପ୍ରସ୍ତାବ ପାରିତ ହୋଇଛି । ଏଥିରେ ୨୦ରୁ ଅଧିକ ରାଜ୍ୟ ୟୁନିଟର ୬୪ ଜଣ ପ୍ରତିନିଧି ଯୋଗଦେଇଥିଲେ । ଏହି କାର୍ଯ୍ୟକାରିଣୀରେ ଜେଡିୟୁର ବରିଷ୍ଠ ନେତା ଶରଦ ଯାଦବ ଯୋଗ ଦେଇନାହାନ୍ତି ।

ସମାନ୍ତରାଳ ଭାବେ ପାଟନାରେ ଜନ ଆନ୍ଦୋଳନ ସମ୍ମିଳନୀ କରିଛନ୍ତି ଶରଦ ଯାଦବ । ଜେଡିୟୁରୁ ନିଲମ୍ବିତ ରାଜ୍ୟସଭା ସାଂସଦ ଅଲ୍ଲୀ ଅନୱାର ଓ ଅନ୍ୟ ନେତାମାନେ ଏହି ବୈଠକରେ ସାମିଲ ହୋଇଥିଲେ । ତେବେ ଶରଦ ଯାଦବ ତାଙ୍କୁ ଜେଡିୟୁରୁ ନିଲମ୍ବନ କରିବା ପାଇଁ ନୀତିଶଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଅନ୍ୟପଟେ ଜେଡିୟୁ ନେତା କେସି ତ୍ୟାଗି କହିଛନ୍ତି ଦଳ ମଧ୍ୟରେ କୌଣସି ମତଭେଦ ନାହିଁ । ଶରଦଙ୍କ ବିରୋଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବନି । କିନ୍ତୁ ଅଗଷ୍ଟ ୨୭ରେ ଆରଜେଡି ରାଲିରେ ଶରଦ ଯଦି ଯୋଗଦିଅନ୍ତି, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ତ୍ୟାଗି ।