ପୁରୁଣା ବନ୍ଧୁ, ନୂଆ ସରକାର ! ବିହାର ରାଜନୀତିରେ ହାଇଭୋଲଟେଜ୍ ପଲିଟିକାଲ୍ ଡ୍ରାମା

62

କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ମାତ୍ର ୧୪ ଘଂଟା ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ବିଜେପିର ସମର୍ଥନ ନେଇ ୧୩୨ ବିଧାୟକଙ୍କ ଲିଖିତ ସମର୍ଥନରେ ଆଜି ସକାଳ ୧୦ଟାରେ ଶପଥ ନେଇଛନ୍ତି ନୀତିଶ । ବିଜେପି ନେତା ସୁଶୀଲ ମୋଦି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିହାର ରାଜନୀତିରେ ଏହି ବିରାଟ ଡ୍ରାମା ପରେ ରଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ କହିଛନ୍ତି, ପୂର୍ବରୁ ପ୍ଲାନ ହୋଇଥିଲା, ତେଣୁ ମ୍ୟାଚ୍ ଫିକ୍ସିଂ ହୋଇଛି । ନୀତିଶ୍ କୁମାରଙ୍କ ଏହି ରାଜନୈତିକ ଗୋଟି ଚାଳନା କେବଳ ବିହାର ନୁହେଁ ସାରା ଦେଶରେ ହଇଚଇ ସୃଷ୍ଟି କରିଛି ।

ସେପଟେ କେଇ ଘଂଟା ଭିତରେ ୨୦ ମାସର ମହାମେଂଟକୁ ଭାଙ୍ଗି ବିହାର ରାଜନୀତିରେ ଓଲଟ ପାଲଟ ପରେ ଚିହିଁକି ଉଠିଛନ୍ତି ଲାଲୁ । କହିଛନ୍ତି ବିଶ୍ୱାସ ଘାତକତା କରିଛନ୍ତି ନୀତିଶ୍ କୁମାର୍ ।

ଲାଲୁଙ୍କ ସହ ମିଶି ୨୦୧୫ ବିହାର ବିଧାନସଭା ନିର୍ବାଚନରେ ମୋଦିଙ୍କ ମାତ୍ ଦେଇ ପ୍ରଥମ ଥର ପାଇଁ ମୋଦି ହୱାର ଦିଗ ବଦଳାଇ ଦେଇଥିଲେ ନୀତିଶ୍ । ଏବେ କିନ୍ତୁ ସବୁ କିଛି ବଦଳି ଯାଇଛି । କାଲିର ବନ୍ଧୁ ନମ୍ବର ୱାନ୍ ଆଜିର ଶତ୍ରୁ ନମ୍ବର ୱାନ୍ ବନି ଯାଇଛନ୍ତି । ନୀତିଶ୍ କହିଛନ୍ତି ଲାଲୁଙ୍କ ଅଭିଯୋଗର ଠିକ୍ ସମୟରେ ଜବାବ୍ ଦେବେ ।

ସେପଟେ ବିହାର ମହାମେଂଟର ତୃତୀୟ ଦଳ କଂଗ୍ରେସ୍ ନୀତିଶଙ୍କ ଏଭଳି ଗୋଟି ଚାଳନାରେ ଆଶ୍ଚର୍ଯ୍ୟ ହୋଇଯାଇଛି । କଂଗ୍ରେସ୍ ଉପାଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, କ୍ଷମତା ପାଇଁ ଲୋକ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି ।

ବିହାରର ଏହି ବିରାଟ ପଲିଟିକାଲ୍ ଡ୍ରାମାର ପ୍ରଭାବ କେବଳ ବିହାରରେ ସୀମିତ ରହିବ ନାହିଁ । କାରଣ ୨୦୧୯ରେ ମୋଦିଙ୍କ ବିରୋଧରେ ନୀତିଶଙ୍କୁ ନେଇ ଯେଉଁ ମେଂଟର ପରିକଳ୍ପନା କରାଯାଇଥିଲା ତାହା ଆଉ ସମ୍ଭବ ହେବ ନାହିଁ । ତେଣୁ ବିହାର ଘଟଣାକ୍ରମରୁ ମୋଦି ସବୁଠାରୁ ବେଶୀ ଲାଭବାନ୍ ହୋଇଥିବା କୁହାଯାଉଛି ।