ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିବା ପ୍ରସଙ୍ଗରେ ନିନ୍ଦା କଲେ ନୀତିଶ କୁମାର । କହିଲେ, ପ୍ରଜ୍ଞାଙ୍କୁ କରାଯାଉ ବିଜେପରୁ ବିଦା

ସେପଟେ ଲମ୍ବା ନିର୍ବାଚନୀ ପ୍ରକ୍ରିୟାକୁ ନେଇ ବି ଉଠାଇଲେ ପ୍ରଶ୍ନ

212

କନକ ବ୍ୟୁରୋ: ଭୋପାଳରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାକୁ ନେଇ ଏନଡିଏରେ ମତଭେଦ ଦେଖାଦେଇଛି । ନାଥୁରାମ ଗଡସେଙ୍କ ସମ୍ପର୍କରେ ପ୍ରଜ୍ଞାଙ୍କ ବୟାନକୁ ନେଇ ଆଜି ମୁହଁ ଖୋଲିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ କହିଛନ୍ତି, ପ୍ରଜ୍ଞାଙ୍କ ବୟାନ ଆଦୌ ଗ୍ରହଣୀୟ ନୁହେଁ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବିଜେପିର କାମ । ଏହା ଉପରେ ଦଳ ବିଚାର କରିବା ଦରକାର । ତେବେ ପ୍ରଜ୍ଞାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବିଜେପିର ଆଭ୍ୟନ୍ତରୀୟ ବ୍ୟାପାର ବୋଲି ପ୍ରଜ୍ଞା କହିଛନ୍ତି । ନାଥୁରାମ ଗଡେଶଙ୍କୁ ଦେଶଭକ୍ତ ବୋଲି କହି ବିବାଦରେ ଆସିଥିଲେ ସାଧ୍ୱୀ ପ୍ରଜ୍ଞା ।

ସେପଟେ, ଦେଶର ଲମ୍ୱା ମତଦାନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର । ଦେଶରେ ଅପ୍ରେଲ ଓ ମେ ମାସରେ ୭ ଟି ପର୍ଯ୍ୟାୟରେ ଭୋଟ୍ କରାଯିବାକୁ ନେଇ ଖାସ କରି ସେ ପ୍ରଶ୍ନ କରିଛନ୍ତି । ପ୍ରବଳ ଖରାରେ ଏପରି ମତଦାନ ପ୍ରକ୍ରିୟା ଭୋଟରଙ୍କୁ ଅନେକ ସମସ୍ୟାରେ ପକାଉଛି । ଯେତେବେଳେ ପ୍ରବଳ ଖରାରେ ବାହାରିବା ମୁସ୍କିଲ୍ ହୋଇଯାଉଛି, ଲୋକେ କେମିତି ପଦାକୁ ଆସି ଭୋଟ୍ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ଦେଶର ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଛନ୍ତି ନୀତିଶ ।

କହିଛନ୍ତି ଏତେ ଲମ୍ୱା ନିର୍ବାଚନ ଅବଧି ନକରି ଏହାକୁ ଛୋଟିଆ କରାଗଲେ ଭଲ ହୁଅନ୍ତା । ଦେଶର ସମସ୍ତ ରାଜନୈତିକ ଦଳ ଏନେଇ ଏକାଠି ବସି ବିଚାର କରିବା ଆବଶ୍ୟକ । ଭୋଟକୁ ଫେବ୍ରୁଆରୀରୁ ମାର୍ଚ କିମ୍ୱା ଅକ୍ଟୋବର – ନଭେମ୍ୱର ମାସରେ କରାଇଲେ ଏହା ସାଧାରଣ ଲୋକଙ୍କ ପାଇଁ ସୁବିଧା ଜନକ ହେବ ବୋଲି ସେ କହିଛନ୍ତି ।  ଏହା ସହିତ ସେ କହିଛନ୍ତି ନିର୍ବାଚନ ସରିବା ପରେ ପରେ ସେ ଦେଶର ସମସ୍ତ ରାଜନୈତିକ ଦଳ ଗୁଡିକୁ ଏହା ଉପରେ ବିଚାର କରିବାକୁ ଚିଠି ଲେଖିବେ ବୋଲି କହିଛନ୍ତି । ପୁରା ନିର୍ବାଚନକୁ ୩ରୁ ୪ ଟି ପର୍ଯ୍ୟାୟରେ ଶେଷ କରିବାକୁ ପ୍ରସ୍ତାବ ରଖିଛନ୍ତି ନୀତିଶ କୁମାର । ସବୁଠାରୁ ରୋଚକ କଥା ହେଉଛି ଚଳିତ ଥର ବିରୋଧୀ ଦଳ ଗୁଡିକ ମଧ୍ୟ ନିର୍ବାଚନ ପ୍ରକ୍ରିୟାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି । କିଛି ଦଳ ମଧ୍ୟ ରମଜାନ୍ ମାସରେ ଭୋଟ୍ ରଖାଯିବାକୁ ନେଇ ପ୍ରଶ୍ନ ଉଠାଇଥିଲେ । ତେବେ ଏହା ପ୍ରଥମ ଥର ଯେ ବିଜେପିର ସହଯୋଗୀ ଦଳ ଦେଶର ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି ।