ଗୋପାଳକୃଷ୍ଣ ଗାନ୍ଧୀକୁ ମିଳିବ କି ଜେଡିୟୁର ସମର୍ଥନ? ନୀତିଶଙ୍କ ସହ ଫୋନରେ କଥା ହେଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ

48

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ନେଇ ଆଶାୟୀ ପ୍ରାର୍ଥୀଙ୍କ ପ୍ରଚାର ଜାରି ରହିଥିବାବେଳେ ଗତକାଲି ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ନାଁ ଘୋଷଣା କରିଛି । ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ୧୮ଟି ବିପକ୍ଷଦଳ ଆଲୋଚନା କରିବା ପରେ ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାଁରେ ମୋହର ଲାଗିଛି । ସୋନିଆଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନୁପସ୍ଥିତ ଥିବାରୁ ଆଜି ନୀତିଶଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ କରିବା ପାଇଁ ରାହୁଲ ଗାନ୍ଧୀ ଜେଡିୟୁର ସହାୟତା ଲୋଡିଛନ୍ତି । ଖାଲି ରହୁଲ ଗାନ୍ଧୀ ନୁହଁନ୍ତି, ଗୋପାଳକୃଷ୍ଣ ଗାନ୍ଧି ମଧ୍ୟ ନୀତିଶ କୁମାରଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । ତେବେ ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନୀତିଶ କୁମାର ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାଁରେ ଚର୍ଚ୍ଚା କରିଥିଲେ । କିନ୍ତୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ୟୁପିଏ ମୀରା କୁମାରଙ୍କ ନାଁ ଘୋଷଣା କରିଥିଲା । ତେଣୁ ନୀତିଶ କୁମାର ଏନଡିଏ ସମର୍ଥିତ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଜଣାଇଥିଲେ । ତେବେ ଏବେ ନଜର ରହିଛି ୟୁପିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନୀତିଶ ସମର୍ଥନ କରୁଛନ୍ତି କି ନାହିଁ ।