ପାଟନା ଦେଖିଲା ଲାଲୁଙ୍କ ପୁଅ ବାହାଘର । ବିବାହ ପେଣ୍ଡାଲରେ ଏକାଠି ହେଲେ ଦେଶର ବଡ଼ ବଡ଼ ନେତା । ପଛରେ ପଡ଼ିଲା ୧୦ ମାସ ତଳର ଶତ୍ରୁତା । କୋଳାକୋଳି ହେଲେ ଲାଲୁ ନୀତୀଶ

61

କନକ ବ୍ୟୁରୋ: ଲାଲୁଙ୍କ ପୁଅ ବାହାଘର । ଏହି ବିବାହ ଉତ୍ସବ ଯେତିକି ରଂଗୀନ ହୋଇଥିଲା, ରାଜନୈତିକ ଦୃଷ୍ଟିକୋଣରୁ ଥିଲା ସେତିକି ଗୁରୁତ୍ୱପୂର୍ଣ୍ଣ । ୧୦ ମାସ ପରେ ପୁଣି ଏକାଠି ହୋଇଥିଲେ ବିହାର ରାଜନୀତିର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ । ଗତବର୍ଷ ଲାଲୁଙ୍କ ହାତ ଛାଡି ଏନଡିଏ ଶିବିରକୁ ଡିଆଁ ମାରିଥିବା ନୀତିଶ, ପହଁଚିଥିଲେ ବରକନ୍ୟାଙ୍କୁ ଆଶୀର୍ବାଦ ଦେବାକୁ ।

ପାଟଣାରେ ଅନେକ ବାହାଘର ହୋଇଛି, ହେଲେ ଏପରି ବାହାଘର କେବେ ଦେଖିନଥିଲେ ପାଟଣାବାସୀ । ବିବାହ ଉତ୍ସବ ଯେତିକି ରଂଗୀନ ହୋଇଥିଲା, ରାଜନୈତିକ ଦୃଷ୍ଟିକୋଣରୁ ଥିଲା ସେତିକି ଗୁରୁତ୍ୱପୂର୍ଣ୍ଣ । ଆଉ ଏହାରି ଉପରେ ବେଶି ନଜର ରଖିଥିଲା ସାରା ଦେଶର ଗଣମାଧ୍ୟମ । ୧୦ ମାସ ପରେ ପୁଣି ଏକାଠି ନଜର ଆସିଥିଲେ ବିହାର ରାଜନୀତିର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀଙ୍କୁ । ଲାଲୁଙ୍କ ପୁଅ ବାହାଘରରେ ବରକନ୍ୟାଙ୍କୁ ଆଶୀର୍ବାଦ ଦେବା ପାଇଁ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

କାରଣ ଗତ ବର୍ଷ ଲାଲୁଙ୍କ ହାତ ଛାଡି ନୀତୀଶ କୁମାର ଏନଡିଏ କ୍ୟାମ୍ପଙ୍କୁ ଡେଇଁବା ପରେ ଦୁଇ ନେତାଙ୍କ ସଂପର୍କ ବିଗିଡ଼ି ଯାଇଥିଲା । ହେଲେ ପୁଅ ବାହାଘରକୁ ପୁରୁଣା ବନ୍ଧୁ ନୀତୀଶ କୁମାରଙ୍କୁ ଡାକିବା ପାଇଁ ଭୁଲି ନଥିଲେ ଲାଲୁ, ନୀତୀଶ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ପହଁଚି ଯାଇଥିଲେ ବିବାହ ଉତ୍ସବରେ । ଆଉ ନୀତୀଶଙ୍କୁ ଆତିଥ୍ୟ ପ୍ରଦାନ କରିବାରେ କୌଣସି ବି ସୁଯୋଗ ହାତଛଡ଼ା କରିନଥିଲେ ଲାଲୁଙ୍କ ପରିବାର । ସୌହାର୍ଦ୍ଦପୂର୍ଣ୍ଣ ବାତାବରଣରେ ବେଶ କିଛି ସମୟ ଧରି ଲାଲୁ ଓ ନୀତୀଶ କରମର୍ଦ୍ଦନ କରିଥିଲେ । ନିଜ ଦୁଃଖକୁ ଚାପି ରଖି ନୀତୀଶଙ୍କୁ ପାଛୋଟି ନେଇଥିଲେ ଜେଲରୁ ୬ ସପ୍ତାହ ପାଇଁ ମୁକୁଳିଥିବା ଲାଲୁ ଯାଦବ । ପତ୍ନୀ ରାବଡି ଦେବୀ, ପୁଅ ତେଜସ୍ୱୀ ଯାଦବ ଓ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶକୁମାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ତେବେ ରାଜନୈତିକ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି । ଅନ୍ୟମାନଙ୍କ ମଧ୍ୟରେ ବିହାର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ, ଶରଦ ଯାଦବ ପ୍ରମୁଖ ବିବାହ ଉତ୍ସବରେ ଯୋଗ ଦେଇ ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ । ହେଲେ ଏଥିରେ ସାମିଲ ହୋଇ ନଥିଲେ ଆରଜେଡି-ଜେଡିୟୁ ସରକାରଙ୍କୁ ଭାଙ୍ଗିବାରେ ପ୍ରମୁଖ ଭୂମିକା ତୁଲାଇଥିବା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ।

ସେପଟେ ଶିବ-ପାର୍ବତୀ ବେଶରେ ତେଜ ପ୍ରତାପ ଯାଦବ ଓ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ପୋଷ୍ଟର ଏକ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି । ଲାଲୁଙ୍କ ବାସଭବନ ଆଗରେ ଏହି ପୋଷ୍ଟରରେ ରହିଛନ୍ତି ଲାଲୁଙ୍କ ପୂରା ପରିବାର । ନବଦମ୍ପତିଙ୍କ ଫଟୋରେ ଉପାସନା ମୁଦ୍ରାରେ ଅଛନ୍ତି ଯୁବ ଆରଜେଡି ଉପସଭାପତି ଡକ୍ଟର ବିମଳେଶ ଯାଦବ ।