ସଙ୍କଟରେ ବିହାର ମହାମେଂଟ: ଲାଲୁଙ୍କୁ ୪ ଦିନ ସମୟ ଦେଲେ ନୀତୀଶ

42

ବେନାମୀ ସମ୍ପତ୍ତି ମାମଲାରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସରକାରରୁ ହଟାଇବାକୁ ମୁଖମନ୍ତ୍ରୀ ନୀତୀଶ କୁମାର ନିଷ୍ପତ୍ତି ନେଇସାରିଛନ୍ତି । ଏହି ପ୍ରସଙ୍ଗରେ ଜେଡିୟୁ ଏବଂ ଆରଜେଡି ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ନୀତୀଶ ଚରମବାଣୀ ଶୁଣାଇ ଦେଇଛନ୍ତି । ୪ ଦିନ ଭିତରେ ତେଜସ୍ୱୀ ଯାଦବଙ୍କୁ ଇସ୍ତଫା ଦେବାକୁ ପଡ଼ିବ ଏବଂ ଏହି ସମୟ ମଧ୍ୟରେ ତେଜସ୍ୱୀଙ୍କ ବିରୋଧରେ ଆରଜେଡିକୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ନୀତୀଶ ସ୍ପଷ୍ଟ କରିଦେଇଛନ୍ତି ।

ଗତକାଲି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବା ପରେ ବିହାର ରାଜନୀତି ସରଗରମ ହୋଇଉଠିଛି । ସରକାରରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ନୀତୀଶ ସ୍ପଷ୍ଟ କରିଦେଇଛନ୍ତି । ନୀତୀଶଙ୍କ ଏହି ନିଷ୍ପତ୍ତି ଆରଜେଡିକୁ ଘୋର ଅଡ଼ୁଆରେ ପକାଇଛି ଏବଂ ତେଜସ୍ୱୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଗଲେ ମହାମେଂଟ ଭାଙ୍ଗିଯିବା ଆଶଙ୍କା ରହିଛି । ତେବେ ଆରଜେଡି ମଧ୍ୟ ଏ ବାବଦରେ କଠୋର ଆଭିମୁଖ୍ୟ ଗ୍ରହଣ କରି ତେଜସ୍ୱୀ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ଦଳର ରାଜ୍ୟ ଅଧ୍ୟକ୍ଷ ରାମଚନ୍ଦ୍ର ପୂର୍ବେ କହିଛନ୍ତି ।

ଜେଡିୟୁ ନେତାମାନେ ବୈଠକରେ ତେଜସ୍ୱୀ ଯାଦବ ଇସ୍ତଫା ଦେବାକୁ ବାଧ୍ୟ ବୋଲି କହିଥିଲେ ଏବଂ ଏଥିପାଇଁ କୌଣସି ଚାପକୁ ଭୂକ୍ଷେପ କରାଯିବ ନାହିଁ ବୋଲି ଆରଜେଡିକୁ ଚେତାଇ ଦେଇଥିଲେ । ତେଜସ୍ୱୀ ସରକାରରେ ରହିବେ କିମ୍ବା ଇସ୍ତପା ଦେବେ ସେ ନିଷ୍ପତ୍ତି ପୂର୍ବରୁ ଆରଜେଡି ନୀତୀଶଙ୍କ ଉପରେ ଛାଡ଼ି ଦେଇଥିବା ବେଳେ ନୀତୀଶ ଏହାକୁ ଲାଲୁଙ୍କ ଉପରେ ଛାଡ଼ି ଦେଇଛନ୍ତି । ଲାଲୁ ନିଜେ ତାଙ୍କ ପୁଅକୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ନିଷ୍ପତ୍ତି ନିଅନ୍ତୁ ବୋଲି ନୀତୀଶ ଚାପ ସୃଷ୍ଟି କରିଥିବାରୁ ଏହାକୁ ନେଇ ଉଭୟ ଦଳର କର୍ମୀମାନେ ମଧ୍ୟ ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି ।

ତେବେ ତେଜସ୍ୱୀଙ୍କ ସ୍ଥାନରେ ଲାଲୁଙ୍କ ଦ୍ୱିତୀୟ ପୁଅ ତେଜପ୍ରତାପ ଯାଦବଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରିବାକୁ ମଧ୍ୟ ଯୋଜନା ଚାଲିଛି । ନୀତୀଶ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ଏହି ବୈଠକରୁ ସ୍ପଷ୍ଟ ସଙ୍କେତ ମିଳିଛି । ଏବେ ଆରପାର ଲଢ଼େଇ ପାଇଁ ନୀତୀଶ ପ୍ରସ୍ତୁତ ହୋଇସାରିଥିବାରୁ ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ମଧ୍ୟ ସେ ସମର୍ଥନ କରିବେ ନାହିଁ ବୋଲି ଚର୍ଚ୍ଚା ଚାଲିଛି । ମହାମେଂଟରୁ ନୀତୀଶ ଓହରି ଆସିଲେ ସରକାରଙ୍କୁ ବିଜେପି ବାହାରୁ ସମର୍ଥନ ଦେବ ବୋଲି ଘୋଷଣା କରିସାରିଛି । ଏବେ ଲାଲୁଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।