୨୧ରେ ପାଞ୍ଚ ପ୍ରକଳ୍ପର ଶିଳାନ୍ୟାସ : ଗଡ଼କରି ଆସୁଛନ୍ତି ଓଡ଼ିଶା

16

କନକ ବ୍ୟୁରୋ : ଓଡ଼ିଶାରେ ୫ଟି ସଡ଼କ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ ପାଇଁ ଆସନ୍ତା ଶୁକ୍ରବାର ଦିନ କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶ୍ରୀ ଗଡ଼କରୀ ରାଉରକେଲା ନିକଟରେ ବ୍ରାହ୍ମଣୀ ନଦୀ ଉପରେ ୬ ଲେନ ବିଶିଷ୍ଟ ଆଧୁନିକ ସେତୁ ନିର୍ମାଣର ଭୂମିପୂଜନ କରିବେ । ଏହାଛଡା ସେ ଜାତୀୟ ରାଜପଥ- ୨୩ (ନୂତନ ଏନ୍‌ଏଚ୍‌-୧୪୩)ର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ ଅନ୍ତିମ ସେକ୍ସନର ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

୨୧ ତାରିଖ ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଯାଇ ୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ୩ଟି ଯାକ ପ୍ରକଳ୍ପ ହେଲା ଏନଏଚ-୪୨ର ଅନୁଗୁଳ-ସମ୍ବଲପୁର ସେକ୍ସନ (ନୂତନ ଏନ୍‌ଏଚ୍‌-୫୫), ଏନ୍‌ଏଚ୍‌-୬ର ତିଲେଇବଣି-ସମ୍ବଲପୁର ସେକ୍ସନ (ନୂତନ ଏନ୍‌ଏଚ୍‌-୫୩) ଏବଂ ଏନ୍‌ଏଚ୍‌-୫ର ବାଲେଶ୍ୱର-ଝାଡ଼ପୋଖରିଆ ସେକ୍ସନ (ନୂତନ ଏନ୍‌ଏଚ୍‌-୧୮) ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

କେନ୍ଦ୍ରମନ୍ତ୍ରୀ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ଭୂମିପୂଜନ କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନ ୧ଟା ବେଳେ ଅନୁଗୁଳ ପହଞ୍ଚିବେ । ସେହିଦିନ ଅପରାହ୍ନରେ ସେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।