ତାରିଖ ଆଉ ସମୟ କୁହ, ଆଲୋଚନା ପାଇଁ କେନ୍ଦ୍ର ପ୍ରସ୍ତୁତ । ଗଡକରୀଙ୍କ ‘ମହାସମସ୍ୟା’ ସମାଧାନର ଫର୍ମୁଲା

18

କନକ ବ୍ୟୁରୋ : ନିଜ ସୁବିଧା ଅନୁସାରେ ଓଡିଶା ସରକାର ତାରିଖ ଦିଅନ୍ତୁ ଏବଂ ମହାନଦୀ ବିବାଦର ସମାଧାନ ପାଇଁ ଆଲୋଚନା କରିବାକୁ ଆଗେଇ ଆସନ୍ତୁ । କେନ୍ଦ୍ର ନିଜେ ଛତିଶଗଡକୁ ଆଲୋଚନା ପାଇଁ ଡାକିବେ ଏବଂ ଓଡିଶା-ଛତିଶଗଡ ମଧ୍ୟରେ ମଧ୍ୟସ୍ଥତା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ମର୍ମରେ ଚିଠି ଲେଖିଛନ୍ତି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଟ୍ରିବ୍ୟୁନାଲ ଗଠନ ଏକ ବିଳମ୍ବିତ ପ୍ରକ୍ରିୟା ତେଣୁ ଆପୋଷ ଆଲୋଚନା କରି ବିବାଦର ସମାଧାନ କରାଯାଉ । ସେପଟେ ଗଡକରୀଙ୍କ ଚିଠି ପରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ବିବୃତି ସ୍ପଷ୍ଟ ନୁହଁ, ଟ୍ରିବ୍ୟୁନାଲ ଗଠନରେ ଅସୁବିଧା କେଉଁଠି ?

bijayସଂସଦରେ ଆପୋଷ ବୁଝାମଣା ଜରିଆରେ ମହାନଦୀ ବିବାଦ ତୁଟାଇବା ପାଇଁ ପରାମର୍ଶ ଦେଇଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଚିଠିରେ ଲେଖିଛନ୍ତି-ଟ୍ରିବୁନାଲ ଗଠନ ଏକ ବିଳମ୍ବିତ ପ୍ରକ୍ରିୟା । ଆଇନ ବିଭାଗର ଅନୁମୋଦନ ଅପେକ୍ଷାରେ ଥିବା ଜଳ ବିବାଦ ଆଇନରେ ସଂଶୋଧନ ହେବା ପରେ ସମସ୍ତ ଜଳ ବିବାଦର ସମାଧାନ ହୋଇଯିବ ବୋଲି ଚିଠି ଲେଖିଛନ୍ତି । ଯାହାକୁ ନେଇ ଖୋଦ୍ ବିଜେପି ଦଳରୁ ଉଠିଛି ପ୍ରଶ୍ନ ।

କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ବିଜୟଙ୍କ ପ୍ରଶ୍ନବାଚୀ । ସଂସଦରେ କେନ୍ଦ୍ରମନ୍ତ୍ରୀ ରଖିଥିବା ବିବୃତି ସ୍ପଷ୍ଟ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଟ୍ରିବୁନାଲ ଗଠନ କଲେ କ୍ଷତି କ’ଣ ? ଆପୋଷ ବୁଝାମଣାରେ କେମିତି ହେବ ସମାଧାନ? ଓଡ଼ିଶା ସରକାର କେଉଁ ତଥ୍ୟ ଦେଇ ନାହାଁନ୍ତି ତାହା କେନ୍ଦ୍ର ସ୍ପଷ୍ଟ କରୁ ବୋଲି ବିଜୟ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି । ଏହାଛଡା ମହାନଦୀକୁ ନେଇ ସିଡବ୍ଲୁସିକୁ ନିକଟରେ ଯେଉଁ ତଥ୍ୟ ରହିଛି ତାହା କେନ୍ଦ୍ର ସରକାରଙ୍କୁ ଜଣାଉନାହିଁ କାହିଁକି ? ଏହା ପଛରେ କଣ ଅଭିସନ୍ଧି ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜୟ । ଏହାଛଡା ମହାନଦୀ ଏବେ ସୂତା ଖିଅରେ ଝୁଲି ରହିଛି ବୋଲି ବିଜୟ କହିଛନ୍ତି ।

mahanadiମହାନଦୀ ଜଳ ବିବାଦ ନେଇ ଓଡିଶା-ଛତିଶଗଡ ମଧ୍ୟରେ ବଳ କଷାକଷି ଚାଲିଥିବା ବେଳେ ମହାନଦୀ ଉପରମୁଣ୍ଡରେ ବନ୍ଧ ବାନ୍ଧିଚାଲିଛି ଛତିଶଗଡ ଏବଂ ଏପଟେ ଓଡିଶାକୁ କମିବାରେ ଲାଗିଛି ଜଳପ୍ରବାହ । ଆଉ ବିଜେଡିର ସେହି ଗୋଟିଏ ଜିଦ୍ ପ୍ରଥମେ ଛତିଶଗଡ଼ ପ୍ରକଳ୍ପ ବନ୍ଦ କରୁ, ତା ପରେ ଆଲୋଚନା । ଏପଟେ ବିରୋଧୀ କଂଗ୍ରେସ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛିି । କଂଗ୍ରେସ କହିଛି କେନ୍ଦ୍ର ସରକାର ଓଡ଼ିଶା ସହ ବେଇମାନି କରିଛି । ଛତିଶଗଡର ସ୍ୱାର୍ଥ ରକ୍ଷା କରିବା ପାଇଁ କେନ୍ଦ୍ର ବାରମ୍ବାର କଥା ବଦଳାଉଛି ।

ମହାନଦୀକୁ ନେଇ ଓଡିଶା-ଛତିଶଗଡ ତୁତୁମେମେ ଭିତରେ ଗତକାଲି ସଂସଦରେ ବିଜେଡି ଉଠାଇଥିଲା ଜଳ ବିବାଦ ପ୍ରସଙ୍ଗ । ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନରେ ବିଳମ୍ବ ଦର୍ଶାଇ କେନ୍ଦ୍ରକୁ ଘେରିବା ପରେ ଗୃହରେ ଉତର ରଖିଥିଲେ କେନ୍ଦ୍ରମନ୍ତ୍ରୀ । ଆଉ ଏବେ ଚିଠି ଲେଖି ଆଲୋଚନାର ପ୍ରସ୍ତାବ ଦେଇଛନ୍ତି ନୀତିନ ଗଡ଼କାରୀ ।