ଗଡକରୀଙ୍କ ବୟାନ ବଢାଇଲା ବିବାଦ ! ରାମଦେବ କହିଲେ କୁହାଯାଇପାରିବନି ୨୦୧୯ରେ କିଏ ହେବ ପ୍ରଧାନମନ୍ତ୍ରୀ । ବଦଳୁଛି କି ଦେଶର ମୁଡ୍ ?

580

କନକ ବ୍ୟୁରୋ : ୫ ରାଜ୍ୟରେ ପରାଜୟ ପରେ ବିଜେପିରେ ତେଜୁଛି ଅସନ୍ତୋଷ । ବିଜେପିର ବିଫଳତାକୁ ନେଇ ପରୋକ୍ଷରେ ମୋଦି-ଶାହାଙ୍କ ଯୋଡ଼ିଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଗଡକରୀ । କହିଛନ୍ତି- ବିଫଳତାକୁ ସ୍ୱୀକାର କରନ୍ତୁ ଶୀର୍ଷ ନେତୃତ୍ୱ । ଏପଟେ ମୋଦିଙ୍କ ପାଇଁ ନାହିଁ ରାମଦେବଙ୍କ ସମର୍ଥନ । ବାବା ରାମଦେବ କହିଛନ୍ତି-ପରବର୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ତାହା କହିବା ମୁସ୍କିଲ ।

ବିଜେପି ଭିତରେ ବିରୋଧର ସ୍ୱର । ଟାର୍ଗେଟରେ ମୋଦି-ଶାହ ଯୋଡି଼ । ୫ଟି ରାଜ୍ୟରେ ବିଜେପିର ପରାଜୟ ପାଇଁ ଦାୟୀ କିଏ ? କାହାକୁ କରାଯିବ ଉତ୍ତରଦାୟୀ ? କିଛି ଏହିଭଳି ପ୍ରଶ୍ନ ଏବେ ବିଜେପି ଅନ୍ଦର ମହଲରୁ ଶୁଣିବାକୁ ମିଳୁଛି । ଦଳର ସଫଳତା ପାଇଁ ଯଦି ମୋଦି-ଶାହା ଯୋଡିଙ୍କ ରଣନୀତିକୁ ପ୍ରଶଂସା ମିଳୁଛି, ତାହାହେଲେ ବିଫଳତା ପାଇଁ ଏହି ଦୁଇ ନେତାଙ୍କୁ ଦାୟୀ କରାଯିବ ନାହିଁ କାହିଁକି । କିଛିଦିନ ହେବ ଏହିଭଳି ଢଙ୍ଗରେ ବିଜେପି ନେତୃତ୍ୱକୁ ସମାଲୋଚନା କରିଛନ୍ତି ଦଳର ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି କିମ୍ବା ଶାହଙ୍କ ନାଁ ନନେଇ କିଛି ଅଡୁଆ ପ୍ରଶ୍ନ ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ସିଧାସିଧା ଶବ୍ଦରେ କହିଛନ୍ତି ଯେ, ନିର୍ବାଚନରେ ସଫଳତା ପାଇବା ପରେ ଏହାକୁ ନେଇ ଦଳୀୟ ମୁଖ୍ୟମାନେ ପରସ୍ପରକୁ ଶ୍ରେୟ ଦେଇଥାନ୍ତି । ସେହିପରି ସେମାନଙ୍କ ଦୁର୍ବଳ ନେତୃତ୍ୱ ଯୋଗୁଁ ଦଳ ପରାଜିତ ହେଲେ ଏଥିପାଇଁ ନିଜକୁ ଉତ୍ତରଦାୟୀ କରିବା କଥା । ସେଭଳି କରିବାରେ ଏମାନେ ସଙ୍କୋଚ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗଡକରୀ ।

ସେପଟେ ନେତୃତ୍ୱକୁ ନେଇ କେବଳ ବିଜେପି ଦଳ ଭିତରେ ଅସନ୍ତୋଷ ନାହିଁ, ବରଂ ବିଜେପିର ଅତି ଘନିଷ୍ଠ ଭାବେ ଜଣାଶୁଣା ଯୋଗଗୁରୁ ବାବା ରାମଦେବଙ୍କ ମନରେ ବି ଦ୍ୱନ୍ଦ୍ୱ ରହିଛି । ଯେଉଁଥିପାଇଁ ଦେଶର ପରବର୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ତାହା କହିବା ମୁସ୍କିଲ ବୋଲି ବୟାନ ରଖିଛନ୍ତି ବାବା । ବର୍ତମାନ ଦେଶର ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଜଟିଳ ପରିସ୍ଥିତି ଦେଇ ଗତି କରୁଛି, ତେଣୁ ଦେଶର ପରବର୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ତାହା କହିହେବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ବାବା ରାମଦେବ ।

କେବଳ ବିଜେପି ମନ୍ତ୍ରୀ ନୀତିନ ଗଡକରୀ କିମ୍ବା ଯୋଗ ଗୁରୁ ବାବା ରାମଦେବଙ୍କ ବୟାନ ନୁହେଁ, ଏହା ପୂର୍ବରୁ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବୟାନ ମଧ୍ୟ ଦ୍ୱନ୍ଦ୍ୱ ତିଆରି କରିଥିଲା । କଂଗ୍ରେସ ମୁକ୍ତ ଭାରତ ଗଠନ ଲାଗି ମୋଦି-ଶାହଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିଥିଲେ ଭାଗବତ୍ । ସବକା ସାଥ, ସବକା ବିକାଶର କଥା କହୁଥିବା ମୋଦି ସରକାର ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ପରାମର୍ଶ ଦେଇଥିଲେ ।