ନୀତି ଆୟୋଗ ବୈଠକ ପ୍ରସଙ୍ଗ! ନବୀନଙ୍କ ଅନୁପସ୍ଥିତିକୁ ନେଇ ଘେରିଲେ ବିରୋଧୀ, ବିଜେଡି ରଖିଲା ଜବାବ

51

ରାଷ୍ଟ୍ରପତି ଭବନରେ ଆୟୋଜିତ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନ ଦେବା ନେଇ ନବୀନଙ୍କୁ ବିରୋଧୀଙ୍କ ହମଲା । ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନୀତି ଅସ୍ପଷ୍ଟ ବୋଲି ଜଣାପଡୁଛି । କାରଣ ସଂଘୀୟ ଗଣତନ୍ତ୍ର ବ୍ୟବସ୍ଥାରେ ଯୋଗ ନ ଦେବା କ’ଣ ଠିକ କଲେ ନବୀନ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ? ଏହାସହ ଓଡିଶାରେ ହେଉଥିବା ସମସ୍ୟାକୁ ଉପସ୍ଥାପନା କରିବା ପାଇଁ ଏହା ଠାରୁ ବଡ ସୁଯୋଗ ମିଳିବ ନାହିଁ ପିସିସି ସଭାପତି ମତ ରଖିଛନ୍ତି । ଗତ ବର୍ଷ ବୈଠକରେ ଯୋଗ ଦେଇଥିଲେ ,ହେଲେ ଏବର୍ଷ କାହିଁକି ଗଲେନି ଏକଥା ଅସ୍ପଷ୍ଟ । ଅନେକ କେନ୍ଦ୍ର ବିରୋଧୀ ମୁଖ୍ୟମନ୍ତ୍ରୀମାନେ ମାନେ ବୈଠକରେ ଯୋଗ ଦେଇଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନୀତି ଆୟୋଗର ଏହି ବୈଠକକୁ ଗଲେନି, ଯଦି ବୈଠକୁ ଯାଇଥାନ୍ତେ ତେବେ ଓଡିଶା ପାଇଁ ଲାଭ ହୋଇଥାନ୍ତା ବୋଲି କହିଛନ୍ତି ନିରଞ୍ଜନ ।

ସେପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ନବୀନଙ୍କୁ ନୀତି ଆୟୋଗର ପାଠ ପଢ଼ାଇ ବୈଠକରେ ଯୋଗ ନଦେବା କାରଣରୁ ନବୀନଙ୍କୁ ସମାଲୋଚନା କରିଛନ୍ତି । ଜୁଏଲ କହିଛନ୍ତି ସମ୍ବିଧାନର ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ, ହେଲେ ସାମ୍ବିଧାନିକ ଦାୟିତ୍ୱ ଭୁଲି ଦଳୀୟ କାର୍ଯ୍ୟରେ ମନ ବଳାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜୁଏଲ । ବର୍ତ୍ତମାନ ଓଡିଶା ଅରାଜକତା ମୁହାଁ ହୋଇଛି । ଗାଁରେ ଯେଉଁଭଳି ନକ୍ସଲ ପୋଲିସକୁ ଛାଡୁ ନାହାଁନ୍ତି , ଭୋଟ ବର୍ଜନ କରୁଛନ୍ତି ସେହିଭଳି ନୀତି ଆୟୋଗ ବୈଠକ, ଆୟୁଷ୍ମାନ ଯୋଜନାକୁ ବୟକଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏବଂ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଜୁଏଲ କହିଛନ୍ତି ।

ତେବେ ବିରୋଧୀଙ୍କ ପ୍ରଶ୍ନବାଣଙ୍କୁ ବିଜେଡି ମଧ୍ୟ କଡା ଜବାବ ମିଳିଛିି । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ଜରୁରୀ କାର୍ଯ୍ୟ ଯୋଗୁଁ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକକୁ ଯାଇ ପାରି ନାହିଁନ୍ତି । ଏନେଇ ଲିଖିତ ଆକାରରେ ଆମ ତରଫରୁ ଜଣାଇ ଦିଆଯାଇଛି ବୋଲି ପ୍ରତାପ ଦେବ ସମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି । ଜୁଏଲଙ୍କ ପ୍ରଶ୍ନର ଉତ୍ତର ରଖି ବିଜେଡି ମୁଖପାତ୍ର ପ୍ରତାପ ଦେବ କେନ୍ଦ୍ର ଉପରେ ପାଲଟା ଆକ୍ରମଣ କରିଛନ୍ତି । ପ୍ରତାପ ଦେବ ଆୟୁଷ୍ମାନ ଯୋଜନାକୁ ନେଇ କହିଛନ୍ତି ଯେ, ଓଡ଼ିଶାର ୯ ଲକ୍ଷ ଲୋକଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଯୋଜନାରେ ସଂଶୋଧନ ପାଇଁ କୁହାଯାଇଥିବା ସେ କହିଛନ୍ତି । ତେବେ ଅଭିଯୋଗ ପରେ ବି ଯୋଜନାରେ କେନ୍ଦ୍ର ସରକାର ସଂଶୋଧନ ନକରିବାରୁ ଓଡ଼ିଶା ଏଥିରୁ ଓହରି ଆସିଥିବା ପ୍ରତାପ ଦେବ କହିଛନ୍ତି । ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଆସ୍ୟୁରାନ୍ସ ଯୋଜନା ଯାହା ସମୟ ସାପେକ୍ଷ କରାଯାଇଛି । ଏହି ଯୋଜନା ଦ୍ୱାରା ଲୋକଙ୍କୁ ସିଧା ସଳଖ ଅର୍ଥ ସହାୟତା ମିଳିବ । ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହର ଏବଂ ଗ୍ରାମଞ୍ଚଳ ପାଇଁ ସମାନ ଭାବେ କାର୍ଯ୍ୟ କରିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେନ୍ଦ୍ରର ଆୟୁଷ୍ମାନ ଯୋଜନା ପରି ଇଂସ୍ୟୁରାନ୍ସ ଯୋଜନା ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ତେବେ ରାଜନୀତି ପାଣି ଏଭଳି ପ୍ରସଙ୍ଗରେ ଗୋଳମାଳିଆ ହେଉଥିବାବେଳେ ପ୍ରକୃତରେ ରାଜ୍ୟବାସୀ କାହା ଦ୍ୱାରା ଉପକୃତ ହେବେ ତାହା ଏବେବି ପ୍ରଶ୍ନ ଘେରରେ ।