ନୀତି ଆୟୋଗ ମାପିଲା ବାବୁଙ୍କ ଦକ୍ଷତା: ପ୍ରଥମ ୧୦ରେ ଓଡିଶାର ୪ଟି ଜିଲ୍ଲା; ୨ ନମ୍ବରରେ ବଲାଙ୍ଗୀର, ମୌଳିକ ଭିତ୍ତିଭୂମିରେ ଏକ ନମ୍ବର

ଜୁନ-ଜୁଲାଇ ମାସ ପାଇଁ ଡ୍ୟାସ୍ ବୋର୍ଡ ରିପୋର୍ଟ ପ୍ରସ୍ତୁତ

342

କନକ ବ୍ୟୁରୋ: ଦେଶର ପଛୁଆ ଜିଲ୍ଲା ବା ଆକାଂକ୍ଷା ଜିଲ୍ଲା ଗୁଡିକର ତାଲିକା ପ୍ରକାଶ କରିଛି ନୀତି ଆୟୋଗ । ଏହି ତାଲିକାରେ ପ୍ରଥମ ୧୦ ଜିଲ୍ଲାରୁ ଓଡିଶାର ରହିଛି ୪ଟି ଜିଲ୍ଲା । ଏହା ପ୍ରମାଣ କରୁଛି ପଛୁଆ ଜିଲ୍ଲା ଗୁଡିକରେ ବାବୁମାନଙ୍କ ପ୍ରଦର୍ଶନ କେବେ କେମିତି ରହିଛି । ୫ଟି ମାନଦଣ୍ଡ ନେଇ ନୀତି ଆୟୋଗ ଗତ ଜୁନ୍ ଜୁଲାଇ ମାସ ପାଇଁ ଯେଉଁ ଡ୍ୟାସ ବୋର୍ଡ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ତାହା ସୂଚାଇ ଦେଉଛି ଏହି ବିକାଶ ହାରକୁ । ତେବେ ଆକାଂକ୍ଷା ଜିଲ୍ଲା ଗୁଡିକରେ ସବୁଠାରୁ ଭଲ ପ୍ରଦର୍ଶନ କରିଛି ଓଡିଶାର ବଲାଙ୍ଗୀର ଜିଲ୍ଲା ।ମୌଳିକ ଭିତ୍ତିଭୂମି ମାନଦଣ୍ଡରେ ଏହି ଜିଲ୍ଲା ସାରା ଦେଶରେ ଏକ ନମ୍ବର ସ୍ଥାନ ଦଖଲ କରିଛି । ଦେଶର ମୋଟ୍ ୧୧୫ ଜିଲ୍ଲା ମଧ୍ୟରୁ ସାମଗ୍ରିକ ଭାବେ ତାଲିକାରେ ବଲାଙ୍ଗିର ଜିଲ୍ଲା ୨ ନମ୍ବର ସ୍ଥାନରେ ରହିଛି ।

ବଲାଙ୍ଗୀରକୁ ଛାଡ଼ିଦେଲେ ଓଡ଼ିଶାର ଗଜପତି (୫), କନ୍ଧମାଳ (୯) ଓ ରାୟଗଡ଼ା (୧୦) ଏହିଭଳି ୪ଟି ଜିଲ୍ଲା ପ୍ରଥମ ଦଶଟି ଜିଲ୍ଲା ଭିତରେ ରହିଛି। ହେଲେ ବଲାଙ୍ଗୀର ଜିଲ୍ଲା କୃଷି ଓ ଜଳସଂପଦ କ୍ଷେତ୍ରରେ ଢେର୍ ପଛରେ (୧୦୪)ରେ ରହିଛି। ଏହି ଜିଲ୍ଲା ଶିକ୍ଷାରେ ୧୩ତମ ସ୍ଥାନରେ ଓ ସ୍ବାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ୧୬ ନମ୍ବର ସ୍ଥାନରେ ରହିଛି। ଆର୍ଥିକ ଅନ୍ତଭୁର୍କ୍ତୀକରଣ ଓ କୌଶଳ ବିକାଶ ମାନଦଣ୍ଡରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଏକ ନମ୍ବର ସ୍ଥାନରେ ରହିଛି। ସେହି ସମାନ ମାନଦଣ୍ଡରେ ଗଜପତି ଷଷ୍ଠ ସ୍ଥାନରେ ଥିବା ବେଳେ କନ୍ଧମାଳ ସପ୍ତମ ସ୍ଥାନରେ ରହିଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ କୌଶଳ ବିକାଶରେ କେରାପୁଟ ଓ ମାଲକାନଗିରି ଖରାପ ପ୍ରଦର୍ଶନ କରି ଯଥାକ୍ରମେ ୯୬ ଓ ୯୭ତମ ସ୍ଥାନରେ ରହିଛନ୍ତି।

ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ନବରଙ୍ଗପୁର ଷଷ୍ଠ ସ୍ଥାନରେ ରହିଛି। ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ଢେଙ୍କାନାଳ (୮୫), କୋରାପୁଟ (୧୦୩), କଳାହାଣ୍ଡି (୧୦୨), ମାଲକାନଗିରି (୧୦୫) ଜିଲ୍ଲାର ପ୍ରଦର୍ଶନ ନିରାଶା ସୃଷ୍ଟି କଲାଭଳି। କୃଷି ଓ ଜଳସଂପଦ କ୍ଷେତ୍ରରେ ଢେଙ୍କାନାଳ(୮୮), ନବରଙ୍ଗପୁର (୮୮), ନୂଆପଡ଼ା (୮୮) ବି ବହୁ ପଛରେ ଅଛନ୍ତି। ଶିକ୍ଷା କ୍ଷେତ୍ରରେ କୋରାପୁଟ ଓ କଳାହାଣ୍ଡି ଉଲ୍ଲେଖନୀୟ ପ୍ରଦର୍ଶନ କରି ଯଥାକ୍ରମେ ୮ ଓ ୭ତମ ସ୍ଥାନରେ ରହିଛନ୍ତି। ଆକାଂକ୍ଷୀ ଜିଲ୍ଲାର ପ୍ରଦର୍ଶନକୁ ପ୍ରତିଫଳିତ କରୁଥିବା ଡ୍ୟାସବୋର୍ଡରୁ ଜଣାପଡ଼ିଛି ଯେ, ଚଳିତ ବର୍ଷ ଜୁନ୍- ଜୁଲାଇରେ ନୂଆପଡ଼ା ୧୨, ଢେଙ୍କାନାଳ ୧୩, ନବରଙ୍ଗପୁର ୨୮, କଳାହାଣ୍ଡି ୩୨, ମାଲାକାନାଗିରି ୭୭ ଓ କୋରାପୁଟ ୮୬ତମ ସ୍ଥାନରେ ରହିଛି।