ଏନଆଇଟି ସିକ୍ୟୁରିଟି ଅଫିସରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ପୀଡିତାଙ୍କ ବୟାନ ରେକର୍ଡ

43

ରାଉରକେଲା : ଏନଆଇଟିର ବିବାଦୀୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ପାଇଁ ବଢିଲା ଅଡୁଆ । ଏବେ ତାଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଥିବା ବେଳେ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳା ସୁରକ୍ଷା କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି । ସିଆରପିସିର ୧୬୧ ଧାରାରେ ସେକ୍ଟର ୩ ଥାନା ପୁଲିସ ପୀଡିତାଙ୍କ ବୟାନ ରେକର୍ଡ କରିଛି । ସେହିପରି ୧୬୪ ଧାରାରେ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ କରାଯାଇଛି । ଗତକାଲି ଆନ୍ଦୋଳନରତ ଛାତ୍ରଙ୍କ ସହ ମିଶି ଦୁଇ ମହିଳା ସୁରକ୍ଷା କର୍ମଚାରୀ ଥାନାରେ ବଳରାମ ଚମ୍ପତିରାୟଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ।

ସେପଟେ ଥାନାରେ ମାମଲା ପରେ ଫେରାର ହୋଇଯାଇଛନ୍ତି ରାଉରକେଲା ଏନଆଇଟିର ସୁରକ୍ଷା ଅଧିକାରୀ । ପୁଲିସ ଏବେ ଅଭିଯୁକ୍ତ ବଳରାମ ଚଂପତିରାୟକୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି । ଏଭଳି ଘଟଣା ଦୀର୍ଘ ୫ ବର୍ଷ ହେଲା ଚାଲିଥିଲେ ମଧ୍ୟ ଏନଆଇଟି ନିର୍ଦେଶକ ସବୁ ଜାଣି ପଦକ୍ଷେପ ନେଇନଥିବା ପୀଡିତା ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ନିର୍ଦେଶକଙ୍କ ବିରୋଧରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ହସ୍ତକ୍ଷେପ ଲୋଡିଛନ୍ତି ଛାତ୍ରଛାତ୍ରୀ  ।