ଏନଆଇଟି ଯୌନ କେଳେଙ୍କାରୀ ମାମଲା : ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ତଦନ୍ତ ରିପୋର୍ଟ ଦାଖଲ

18

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଏନଆଇଟି ଯୌନ କେଳେଙ୍କାରୀ ମାମଲାର ତଦନ୍ତ ରିପୋର୍ଟ ଦାଖଲ କଲା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଛାତ୍ରୀ ଓ ମହିଳା ସୁରକ୍ଷା କର୍ମୀଙ୍କୁ ଯୌନ ଶୋଷଣ ଅଭିଯୋଗ ପରେ ଫେରାର ଅଛନ୍ତି ମୁଖ୍ୟ ଅଭିଯୁକ୍ତ ବଳରାମ ଚମ୍ପତିରାୟ । ଏନଆଇଟି ମୁଖ୍ୟ ସୁରକ୍ଷା ଅଧିକାରୀ ଚମ୍ପତିରାୟଙ୍କ ଟେର ପାଉନି ପୋଲିସ । ସେପଟେ ଘଟଣାର ତଦନ୍ତ କରିଥିବା ମାନବ ସମ୍ବଳ ବିକାଶ ବିଭାଗର ସ୍ୱତନ୍ତ୍ର ଅଧିକାରୀ ରାଜେଶ ସିଂ ସୋଲାଙ୍କି ଦିଲ୍ଲୀରେ ବିଭାଗୀୟ ସଚିବଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିଥିବା ଜଣାପଡିଛି । ତେବେ ରିପୋର୍ଟରେ ସେ କାହାକୁ ଦାୟୀ କରିଛନ୍ତି ଏବଂ କଣ ସୁପାରିଶ କରିଛନ୍ତି ସେନେଇ ସସପେନ୍ସ ଲାଗିରହିଛି ।

ଗତ ମେ ୨୫ ତାରିଖରେ ଚମ୍ପତିରାୟଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ ଏନଆଇଟି ଛାତ୍ରଛାତ୍ରୀ । ମୁଖ୍ୟ ଅଭିଯୁକ୍ତ ଚମ୍ପତିରାୟଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ପରେ ଛାତ୍ରଛାତ୍ରୀଙ୍କ ସହ ଏନଆଇଟି କର୍ତୃପକ୍ଷଙ୍କ ଆଲୋଚନା ପରେ ଆନ୍ଦୋଳନ ହଟିଥିଲା । ତେବେ ଏହାରି ଭିତରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ମାମଲାରେ ହସ୍ତକ୍ଷେପ କରି ଏନଆଇଟିରେ ଦୁଇ ଦିନିଆ ତଦନ୍ତ କରିଥିଲେ ସ୍ୱତନ୍ତ୍ର ଅଧିକାରୀ ଆର.ଏସ. ସୋଲାଙ୍କି । ଏପଟେ ଗିରଫଦାରି ଏଡାଇବା ପାଇଁ ବଳରାମ ଚମ୍ପତିରାୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଚର୍ଚ୍ଚା ହେଉଛି ।