ନିର୍ଭୟା ସୈତାନଙ୍କୁ ହାତ ଠାରି ଡାକୁଛି ମୃତ୍ୟୁ… ଦୋଷୀ ପବନ ଗୁପ୍ତାକୁ ‘ସୁପ୍ରିମ’ ଧକ୍କା ପରେ ଫାଶୀ ପାଇଁ ଫିଟିଲା ବାଟ

1,750

କନକ ବ୍ୟୁରୋ: ପବନକୁ ବଡ ଧକ୍କା । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନ କୁମାରକୁ ମିଳିଲା ନାହିଁ ଆଶ୍ୱସ୍ତି । ଘଟଣା ସମୟରେ ନାବଳକ ଥିବା ନେଇ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ପବନ କୁମାରଙ୍କ ଓକିଲ ଏପି ସିଂହ ମହକିଲର ସ୍କୁଲ ଲିଭିଂ ସାର୍ଟିଫିକେଟ ଦାଖଲ କରିଥିଲେ । ଏହା ଅନୁସାରେ ଘଟଣା ସମୟରେ ପବନ କୁମାରଙ୍କ ବୟସ ୧୭ ବର୍ଷ ୧ ମାସ ୨୭ ଦିନ ଥିବା ଦାବି କରିଥିଲେ । କିନ୍ତୁ ଏହାକୁ ଗ୍ରହଣ କରି ନାହାନ୍ତି ଉଚ୍ଚତମ ନ୍ୟାୟାଳୟ ।

୨୦୧୭ରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି ସାର୍ଟିଫିକେଟ ଅଣାଯିବା ନେଇ ପ୍ରଶ୍ନ କରି କାହିଁକି ମାମଲାର ଶୁଣାଣି ବେଳେ ଏହି ତଥ୍ୟ ଉପସ୍ଥାପନ କଲେ ନାହିଁ ବୋଲି କହିଥିଲେ କୋର୍ଟ । ଏହାର ଉତ୍ତରରେ ଆବଶ୍ୟକ ପଡିବା ପରେ ଏହି ତଥ୍ୟ ଅଣାଯାଇଥିବା କହିଛନ୍ତି ଏପି ସିଂହ ।

ସେପଟେ ସମାନ ଧରଣ ଦଲିଲ ତଳ କୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବାରମ୍ବାର ଖାରଜ ହୋଇସାରିଥିବା ବେଳେ କେବଳ ଫାଶୀକୁ ଟାଳିବା ପାଇଁ ଦୋଷୀ ଏଭଳି କାଣ୍ଡ କରୁଥିବା ଅଭିଯୋଗ କରିଛନ୍ତି ନିର୍ଭୟାଙ୍କ ବାପାମାଆ । ବର୍ତ୍ତମାନ ସ୍ଥିତିରେ ଆଇନର ବ୍ୟବସ୍ଥାକୁ ନେଇ ଦୋଷୀମାନେ ଖେଳୁଥିବା ସେମାନେ କହିଛନ୍ତି । ଆଉ ବାପାମାଆଙ୍କ ଏ ଅଭିଯୋଗ ପରେ ଦୋଷୀଙ୍କ ଉପରେ ପ୍ରଶ୍ନ ଉଠିଛି କି, ଆଇନରେ ଥିବା ସୁବିଧାକୁ ନେଇ ବାସ୍ତବରେ ଖେଳ ଖେଳୁଛନ୍ତି କି ନିର୍ଭୟା କାଣ୍ଡର ଦୋଷୀ ? ଫାଶୀକୁ ଟାଳି ପାଇଁ ଚାଲୁଥିବା ଏହି ଉଦ୍ୟମକୁ ରୋକିବା ପାଇଁ ପଦକ୍ଷେପ ନେବେ କି ସୁପ୍ରିମକୋର୍ଟ ?

ସମ୍ବିଧାନର ଧାରା ୧୪୨ ଆଧାରରେ ସୁପ୍ରିମକୋର୍ଟ ଚାହିଁଲେ ଦୋଷୀମାନଙ୍କର ବାରମ୍ବାର କରୁଥିବା ଆବେଦନ ଉପରେ ରୋକ ଲଗାଇ ପାରିବେ ବୋଲି କହିଛନ୍ତି ଆଇନଜୀବୀ । ଏନେଇ ଅତୀତରେ ନଜିର ଥିବା ବେଳେ ବ୍ୟବସ୍ଥାକୁ ଖେଳ ଘର କରିବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ ବୋଲି ଆଶା ରଖିଛନ୍ତି ଆଇନଜୀବୀ ।

ସୁପ୍ରିମକୋର୍ଟଙ୍କ ରାୟ ପରେ ଆସନ୍ତା ଫେବୃଆରୀ ୧ ତାରିଖ ସକାଳ ୬ଟାରେ ନିର୍ଭୟାକାଣ୍ଡର ୪ ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ବାଟ ଏକ ପ୍ରକାର ଫିଟିଛି ।