ଉଦଘାଟିତ ହେଲା ‘ନିର୍ମାଣ କୁସୁମ’ ଯୋଜନା । ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

46

କନକ ବ୍ୟୁରୋ: ରାଜ୍ୟର ପଞ୍ଜିକୃତ ନିର୍ମାଣ ଶ୍ରମିକ ଓ ସେମାନଙ୍କ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି । ନିର୍ମାଣ ଶ୍ରମିକଙ୍କ ପିଲା ପାଇବେ ଆର୍ଥିକ ପ୍ରୋତ୍ସାହନ । ଏଥି ପାଇଁ ଉଦଘାଟିତ ହେଲା “ନିର୍ମାଣ କୁସୁମ” କାର୍ଯ୍ୟକ୍ରମ। ଜୟଦେବ ଭବନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜନମଙ୍ଗଳକାରୀ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ।

ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଏବଂ ଦକ୍ଷତା ବିକାଶ ବିଭାଗ ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ମଜଭୁତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଯେଉଁଥି ପାଇଁ ନିର୍ମାଣ ଶ୍ରମିକ ପିଲାମାନଙ୍କ ସରକାରୀ  ଆଇଟିଆଇ ଏବଂ ପଲିଟେକନିକ ବୈଷୟିକ ଶିକ୍ଷା ନିମନ୍ତେ ଶତ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ଯୋଜନାରେ ଆଇ.ଟି.ଆଇ ଶିକ୍ଷା ପାଇଁ ୨୩,୬୦୦ଟଙ୍କା ଏବଂ ଡିପ୍ଲୋମା ପାଇଁ ସର୍ବାଧିକ ୨୬,୩୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ତେବେ ୨୦୧୮-୧୯ ଶିକ୍ଷା ବର୍ଷ ନିମନ୍ତେ ରାଜ୍ୟର ୧୮୭୮ ହିତାଧିକାରୀଙ୍କୁ ୧.୦୯ କୋଟି ଟଙ୍କାର ଆର୍ଥିକ ସହାୟତା ସିଧାସଳଖ ଶିକ୍ଷାର୍ଥୀଙ୍କ ବ୍ୟାଙ୍କ ଖାତାରେ ଜମାକରାଯାଉଛି । ଏତଦ୍ ବ୍ୟତୀତ ରାଜ୍ୟର ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସ୍ୱଭାବିକ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଏବଂ ଦୁର୍ଘଟଣା ଜନୀତ ମୃତ୍ୟୁକାଳୀନ ସହାୟତା ରାଶିକୁ ୨ଲକ୍ଷରୁ ୪ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।