ନିର୍ମଳା ସୀତାରମଣଙ୍କୁ ଗ୍ଲୋବାଲ ଟାଇମ୍ସରେ ପ୍ରଶଂସା ! ଅନ୍ୟପଟେ ସାମ୍ନାକୁ ଆସିଲା ବିବାଦୀୟ ଡୋକଲାମ ସୀମାକୁ ସଂଯୋଗ କରୁଥିବା ଦୁଇଟି ରାସ୍ତାର ନକ୍ସାର ଚିତ୍ର

26

କନକ ବ୍ୟୁରୋ: ସୀମାରେ ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଚୀନ ସାମରିକ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନାକୁ ପସନ୍ଦ କଲା ଚୀନ । ସରକାରୀ ମୁଖପତ୍ର ଗ୍ଲୋବାଲ୍ ଟାଇମ୍ସ ନିର୍ମଳାଙ୍କ ଆଚରଣର ଉଚ୍ଚପ୍ରଶଂସା କରିଥିବା ବେଳେ ଡୋକଲାମ୍ ବିବାଦ ପରେ ଏହାକୁ ସବୁଠାରୁ ସୁନ୍ଦର ମୁହୂର୍ତ୍ତ ବୋଲି କହିଛି ।

ଗୋଟିଏ ପଟରେ, ଚୀନ ଗଣମାଧ୍ୟମରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଶଂସା, ସେପଟେ ସାମ୍ନାକୁ ଆସିଲା ସାଟେଲାଇଟ ଚିତ୍ର । ବିବାଦୀୟ ଡୋକଲାମ ସୀମାକୁ ସଂଯୋଗ କରୁଥିବା ଦୁଇଟି ରାସ୍ତାର ନକ୍ସା ସାଟେଲାଇଟ ଚିତ୍ରରୁ ସାମ୍ନାକୁ ଆସିଛି । ଭୁଟାନର ଡୋକଲାମଠାରୁ ଚୀନର ୟାତୁଙ୍ଗ ସହରକୁ ଲମ୍ବିଛି ଏହି ଦୁଇଟି ରାସ୍ତା । ଯେଉଁଠାରେ ରହିଛି ପିପୁଲ ଲିବରେସନ ଆର୍ମିର ବେସକ୍ୟାମ୍ପ । ଭାରତର ସିକ୍କିମ ସୀମାରେ ଥିବା ଡୋକା-ଲା ସେନା ପୋଷ୍ଟଠାରୁ ଏହା ଅଳ୍ପ ଦୂର । ତେଣୁ ଏହି ରାସ୍ତା ଦେଇ ଡ୍ରାଗନ ସେନା ଡୋକଲାମ ସୀମାରେ ପହଂଚିବାକୁ ଖୁବ କମ୍ ସମୟ ଲାଗିବ ।

ସୂଚନା ଅନୁସାରେ, ଏହି ରାସ୍ତାଦେଇ ଡୋକଲାମରେ ପହଂଚିଥିଲା ଡ୍ରାଗନ ବାହିନୀ । ଯେଉଁଠାରେ ପ୍ରାୟ ୭୦ଦିନ ଧରି ଭାରତୀୟ ସେନା ସହ ମୁହାଁମୁହିଁ ସ୍ଥିତି ଲାଗିରହିଲା । ପ୍ରଧାନମନ୍ତ୍ରୀଙ୍କ ଚୀନ ଗସ୍ତ ପୂର୍ବରୁ ସେନା ପ୍ରତ୍ୟାହାର ପାଇଁ ରାଜିହେଲେ ଦୁଇ ଦେଶ । ତେବେ ଏହି ରାସ୍ତା ହିଁ ଆଗକୁ ଭାରତର ଚିନ୍ତା ବଢାଇପାରେ । ସେଥିପାଇଁ ଭାରତ ମଧ୍ୟ ଚୀନ ସୀମାରେ ଭିତିଭୂମି ବିକାଶକୁ ଗୁରୁତ୍ୱ ଦେବାକୁ ଚାହୁଁଛି । ସିକିମ ସମେତ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ପ୍ରାୟ ୪ ହଜାରରୁ ଅଧିକ କିଲୋମିଟର ବିଶିଷ୍ଟ ଲାଇନ ଅଫ ଆକଚୁଆଲ କଂଟ୍ରୋଲରେ ସାମର୍ଥ୍ୟ ବୃଦ୍ଧି କରିବ ଭାରତୀୟ ସେନା ।