ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ପ୍ୟାକେଜର ଅର୍ଥମନ୍ତ୍ରୀଙ୍କ ଶେଷ ଘୋଷଣା: ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ ହଜାର କୋଟି, ନିର୍ମାଣ ଶ୍ରମିକଙ୍କ ପାଇଁ ୩୯୫୦ କୋଟି, ମନେରଗା ପାଇଁ ୬୧ ହଜାର କୋଟି ଘୋଷଣା

୭ଟି ବିଭାଗ ପାଇଁ ସହାୟତା ରାଶି ପ୍ରଦାନ

837

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନାର ଶେଷ ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ବିଶେଷ ରୂପେ ୭ଟି ବିଭାଗରେ ରହିଥିଲା ନିର୍ମଳାଙ୍କ ଘୋଷଣା । ଯାହା ମଧ୍ୟରେ ପ୍ରମୁଖ ରହିଛି ନରେଗା, ସ୍ୱାସ୍ଥ୍ୟ , ଶିକ୍ଷା , ମହିଳା , କୃଷକ, ଉଜ୍ୱଲା ଏବଂ ନିର୍ମାଣ ଶ୍ରମିକ । ସ୍ୱାସ୍ଥ୍ୟ ସେବା ପାଇଁ ୧୫ ହଜାର କୋଟିର ଘୋଷଣା କରିଛନ୍ତି ନିର୍ମଳା । ଆଗକୁ ବ୍ଲକ ସ୍ତରରେ ସ୍ଥାପନ ହେବ ପରୀକ୍ଷା ଲ୍ୟାବ୍ । ସାଧାରଣ ସ୍ୱାସ୍ଥ୍ୟ ସେବାକୁ ଏପରି ସୁଦୃଢ କରାଯିବ ଯେପରି ବିପଦ ସମୟରେ ଏହା ସମସ୍ତଙ୍କ ସହାୟକ ହେବ । ସାରା ଦେଶରେ ଲ୍ୟାବ ନେଟୱର୍କକୁ ଅଧିକ ସୁଦୃଢ କରାଯିବାକୁ କେନ୍ଦ୍ର ସରକାର ଯୋଜନା କରିଥିବା କହିଛନ୍ତି ନିର୍ମଳା । ଜିଲ୍ଲା ସ୍ତରରେ ଥିବା ସମସ୍ତ ଡାକ୍ତରଖାନାରେ ସଂକ୍ରମଣ ଜନିତ ରୋଗ ସହିତ ଲଢେଇ ପାଇଁ ଯେପରି ସୁବିଧା ହେବ ତାହା ପ୍ରତି ଧ୍ୟାନ ଦିଆଯିବ ।

ସେହିପରି ବର୍ତମାନ ପ୍ରବାସୀ ଶ୍ରମିକଙ୍କୁ ନିଜ ଘର ପାଖରେ କାମ ଯୋଗାଇ ଦେବାକୁ କରାଯାଇଛି ଯୋଜନା । ଏହି କ୍ରମରେ ମନରେଗାରେ ୪୦ ହଜାର କୋଟିର ନିବେଶ ହେବ । ଏହା ବଳରେ ପ୍ରବାସୀ ଶ୍ରମିକ ଯେଉଁମାନେ ଘରକୁ ଫେରିଛନ୍ତି ସମସ୍ତଙ୍କୁ କାମ ମିଳିପାରିବ । ସେହିପରି ଗରିବ କଲ୍ୟାଣ ଯୋଜନାରେ ଟେକ୍ନଲଜି ମାଧ୍ୟମରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫରରେ ଦେଶରେ ମୋଟ୍ ୨୦ କୋଟି ଜନଧନ ଖାତାରେ ୧୦ ହଜାର ୨୨୫ କୋଟି ଟଙ୍କା ସିଧାସଳଖ ଉପଭୋକ୍ତଙ୍କ ଖାତାକୁ ଦିଆଯାଇଛି । ଦେଶର ୮ କୋଟି ୧୯ ଲକ୍ଷ ଚାଷୀଙ୍କ ଖାତାକୁ ଏହା ମାଧ୍ୟମରେ ଟଂକା ଯାଇଛି । ବିଶେଷ ଭାବରେ ନିର୍ମଳା କୃଷି କ୍ଷେତ୍ର ପାଇଁ ୧୧ ସୂତ୍ରୀ ଘୋଷଣା କରିଛନ୍ତି । ସରକାର କୃଷିର ଭିତିଭୂମି ବିକାଶ ପାଇଁ ପ୍ରାୟ ଏକ ଲକ୍ଷ କୋଟିର ଘୋଷଣା କରିଛନ୍ତି । ଦେଶର ୨ କୋଟି ୨ ଲକ୍ଷ ନିର୍ମାଣ ଶ୍ରମିକଙ୍କ ପାଇଁ ୩ ହଜାର ୯୫୦ କୋଟିର ଘୋଷଣା ହୋଇଛି ।