ନିର୍ମଳାଙ୍କ ହାତରେ ଦେଶର ଭଣ୍ଡାର ଘରର ଚାବି । ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ମିଳିଲା ଦାୟିତ୍ୱ ।

382

ଗତକାଲି ମୋଦିଙ୍କ ସହ ପୂରା ମନ୍ତ୍ରିମଣ୍ଡଳ ଶପଥ ନେଇଥିବା ବେଳେ ଆଜି ବିଭାଗ ବଣ୍ଟନ କରାଯାଇଛି । ଗୃହମନ୍ତ୍ରୀ ଭାବେ ଅମିତ ଶାହାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ପ୍ରତିରକ୍ଷା ବିଭାଗର ଭାର ସମ୍ଭାଳିବେ ରାଜନାଥ ସିଂହ । ତେବେ ଏହି ଦୁଇ ହେଭିୱେଟଙ୍କୁ ବାଦ୍ ଦେଲେ ମୋଦିଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ଜଣେ ମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ପାଇଁ ନିର୍ମଳା ସୀତାରମଣଙ୍କୁ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି । ଆଉ ଏହାସହ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି ନିର୍ମଳା ।

ମୋଦିଙ୍କ ପ୍ରଥମ ପାଳିରେ ନିର୍ମଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ୱ ମିଳିଥିଲା । ନିର୍ମଳା ମନ୍ତ୍ରୀ ଥିବା ବେଳେ ପାକିସ୍ତାନରେ ଏୟାରଷ୍ଟ୍ରାଇକ କରିବାରେ ସଫଳ ହୋଇଥିଲା ଭାରତୀୟ ସେନା । ଆଉ ସେତେବେଳେ ଏଭଳି ସାହସିକ ପଦକ୍ଷେପ ପାଇଁ ଚର୍ଚ୍ଚାରେ ରହିଥିଲେ ନିର୍ମଳା । ଏପରିକି ମୋଦି ସରକାରରେ ପ୍ରଥମ ଥର ପାଇଁ ମହିଳା ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ ନିର୍ମଳା । ତେବେ ନିର୍ମଳାଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ କିଛି ସମୟ ପାଇଁ ଅର୍ଥ ଓ ପ୍ରତିରକ୍ଷା ବିଭାଗ ନିଜ ପାଖରେ ରଖିଥିଲେ । କିନ୍ତୁ ଅର୍ଥ ବିଭାଗର କ୍ୟାବିନେଟ ଦାୟିତ୍ୱ ନିର୍ମଳାଙ୍କୁ ମିଳିଥିବାରୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିପାରନ୍ତି ।

ତାମିଲନାଡୁର ମଦୁରାଇରେ ଜନ୍ମ ଗ୍ରହଣ କରିଥିବା ନିର୍ମଳା ନିଜର ସ୍କୁଲ ଶିକ୍ଷା ତିରୁଚିରାପଲ୍ଲୀରୁ ସମାପ୍ତ କରିଥିଲେ । ପରେ ସୀତାଲକ୍ଷ୍ମୀ ରାମାସ୍ୱାମୀ କଲେଜରୁ ସ୍ନାତକ ପାଠ୍ୟକ୍ରମ ଶେଷ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ପରେ ବିଜେପିରେ ଯୋଗ ଦେବା ସହ ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ମୋଦି ସରକାରର ପ୍ରଥମ ପାଳିରେ ନିର୍ମଳା ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସମ୍ଭାଳିଥିବା ବେଳେ ଚଳିତ ଥର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି । ଏହାପୂର୍ବରୁ ଅର୍ଥମନ୍ତ୍ରାଳୟର ଦାୟିତ୍ୱ ଅରୁଣ ଜେଟଲୀଙ୍କ ପାଖରେ ରହିଥିଲା । ତେବେ ସ୍ୱାସ୍ଥ୍ୟଗତ କାରଣରୁ ଅରୁଣ ଜେଟଲୀ ମନ୍ତ୍ରିମଣ୍ଡଳରେ ରହିବାକୁ ଅନିଚ୍ଛା ପ୍ରକାଶ କରିବାରୁ ଏହି ବିଭାଗ କାହାକୁ ଦିଆଯିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ଅର୍ଥମନ୍ତ୍ରୀ ଦୌଡରେ ପୀୟୁଷ ଗୋଏଲଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା । କିନ୍ତୁ ଆଜି ପୀୟୁଷ ଗୋଏଲଙ୍କୁ ପୁଣିଥରେ ରେଳବିଭାଗର ଦାୟିତ୍ୱ ଦେଇ ନିର୍ମଳା ହାତରେ ଦେଶର ଭଣ୍ଡାର ଘରର ଚାବି ଦେଇଛନ୍ତି ମୋଦି ।