ଅଭିଯୁକ୍ତ ପୁଅକୁ ଜୀବଦାନ ଦେବାପାଇଁ କୋର୍ଟରୁମରେ ଗୁହାରୀ : ଉତ୍ତରରେ ଦୀର୍ଘ ୭ ବର୍ଷର ଯନ୍ତ୍ରଣାଦାୟକ ମନୋସ୍ଥିତି ବଖାଣିଲେ ନିର୍ଭୟାଙ୍କ ମା’ . . . .କହିଲେ, ମୁଁ ଏବେ ସମ୍ପୂର୍ଣ୍ଣ ପଥର ପାଲଟି ଯାଇଛି . . . . 

5,740

କନକ ବୃୁରୋ : ଫାଶୀରେ ଚଢ଼ିବେ ନରରାକ୍ଷାସ । ମୃତ୍ୟୁର ପରୱାନା ଉପରେ ମୋହର ଲାଗିସାରିଛି । ଦୀର୍ଘ ସାତ ବର୍ଷର ଅପେକ୍ଷାର ଅନ୍ତ ଘଟିବ । ତାରିଖ ବି ସ୍ପଷ୍ଟ । ଖାଲି ଫାଶୀ ଦିନକୁ ଅପେକ୍ଷା । ଆସନ୍ତା ଜାନୁୟାରୀ ୨୨ ସକାଳ ୭ଟା ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ । ମୃତ୍ୟୁ ପରେ ସ୍ୱର୍ଗରେ ଶାନ୍ତି ପାଇବେ ନିର୍ଭୟା । ଅଭିଯୁକ୍ତଙ୍କୁ ଫାଶୀ ଦେବାପାଇଁ ତିହାର ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ତେବେ ମୃତ୍ୟୁର ପରୱାନା ନିଷ୍ପତ୍ତି ଆସିବା ପରେ ଜଣେ ମା’ ଶାନ୍ତିରେ ନିଶ୍ୱାସ ମାରୁଥିଲା ବେଳେ ଆଉ ଜଣଙ୍କର ଦୁନିଆ ଉଜୁଡ଼ିଗଲା ।

ମୃତ୍ୟୁ ପରୱାନା ଜାରିହେବା ଦିନ କୋର୍ଟରେ ଦେଖିବାକୁ ମିଳିଥିଲା ହୃଦୟବିଦାରକ ଦୃଶ୍ୟ । ଗୋଟିଏ ପଟେ ନିର୍ଭୟା ମା’ଙ୍କୁ ନ୍ୟାୟ ମିଳିଥିବା ବେଳେ କୋର୍ଟରୁମରେ ଉପସ୍ଥିତ ଜଣେ ଅଭୁଯୁକ୍ତଙ୍କ ମା’ ଆଖିରୁ ଝରିପଡ଼ୁଥିଲା ଅଶ୍ରୁଧାର । ମା’ ଯେତେହେଲେ ମା’ । ନିଜ ପୁଅକୁ ଜୀବଦାନ ଦେବାପାଇଁ ନିର୍ଭୟା ମା’ଙ୍କ ସାମ୍ନାରେ କାନି ପାତି ଭିକ ମାଗୁଥିଲେ । ପୁଅକୁ କ୍ଷମା କରିବା ପାଇଁ ହାରିଗୁହାରୀ କରିଥିଲେ ।

ହେଲେ ନିର୍ଭୟା ମା’ଙ୍କ ମନରେ କୌଣସି ପ୍ରକାରର ଭାବନା ଜାଗ୍ରତ ହୋଇନଥିଲା । ସେ ନିର୍ବିକାର ଭାବେ ବସି ରହିଥିଲେ । ବାରମ୍ବାର ଆଖି ସାମ୍ନାକୁ ଆସିଯାଉଥିଲା ୭ ବର୍ଷ ତଳର ଦୃଶ୍ୟ । ଯୌନରାକ୍ଷାସ କବଳରୁ ମୁକୁଳିବା ପାଇଁ ଝିଅର ବୁକୁଫଟା କ୍ରନ୍ଦନ ଆଉ ଯନ୍ତ୍ରଣା ଜର୍ଜରିତ ଚିତ୍କାର ।  କିଭଳି ସଇତାନ ମାନେ ଝିଅକୁ ରକ୍ତରେ ଭିଜାଇ ଦେଇଥିଲେ । ଝିଅର କରୁଣ ବେଦନା ଆଜି ବି ମୋତେ ଶୁଆଇ ଦେଉନି । ୭ବର୍ଷ ତଳର ଝିଅର ଅବସ୍ଥା ଦେଖି ମୁଁ ପଥର ପାଲଟି ଯାଇଛି ।  ମୋତେ କାହାର ଲୁହ ପ୍ରଭାବିତ କରିପାରୁ ନାହିଁ ବୋଲି କହିଥିଲେ ନିର୍ଭୟାଙ୍କ ମା’ ।

ସେହିଭଳି ନିର୍ଭୟାଙ୍କ ବାପା ମଧ୍ୟ କହିଛନ୍ତି , ମୋ ଝିଅର ଏଭଳି ଅବସ୍ଥା କରିଥିବା ସଇତାନଙ୍କୁ ଫାଶୀ ମିଳିବା ଦରକାର । ଯାହା ସମାଜକୁ ଏକ ଶିକ୍ଷା ଦେବ । ଆଇନ ଆଗରେ ସମସ୍ତେ ସମାନ । ତା କବଳରୁ କୌଣସି ଅଭିଯୁକ୍ତ ବଞ୍ଚିବା ଅସମ୍ଭବ ।