ଦୁଷ୍କର୍ମକାରୀଙ୍କୁ ଦୟା ନାହିଁ । ନିର୍ଭୟା ଗଣଦୁର୍ଷ୍କମ ମାମଲାରେ ୩ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କାଏମ, ପୁନଃ ବିଚାର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

36

କନକ ବ୍ୟୁରୋ : ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ, ଯେଉଁ ଭଳି ଏକ ନିଷ୍ପତିକୁ ଆଜି ସାରା ଦେଶ ଅପେକ୍ଷା କରି ରହିଥିଲା, ଠିକ୍ ଅନୁରୂପ ଢ଼ଙ୍ଗରେ ସୁପ୍ରିମକୋର୍ଟରୁ ଖବର ଆସିଛି । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ହୋଇଥିବା ପୁନଃ ଆବେଦନକୁ ଖାରଜ କରିଛନ୍ତି ସୁପ୍ରମିକୋର୍ଟ । ଫଳରେ ୩ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କାଏମ ରହିଛି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତି ପରେ ନିର୍ଭୟାଙ୍କ ବାପା କହିଛନ୍ତି- ଅଭିଯୁକ୍ତ ଫାଶି ଖୁଂଟରେ ଝୁଲିବା ଦେଖିଲେ ଆତ୍ମାକୁ ମିଳିବ ଶାନ୍ତି ।

ବହୁଚର୍ଚ୍ଚିତ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଦିଆଯିବ ଫାଶୀ । ପୂର୍ବ ରାୟକୁ କାଏମ ରଖିବା ସହ ତିନି ଅପରାଧୀ ବିନୟ ଶର୍ମା, ପୱନ ଗୁପ୍ତା ଓ ମୁକେଶ ସିଂହଙ୍କ ପୁନଃ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଆର୍ ଭାନୁମତି, ଓ ଆଶୋକ ଭୂଷଣଙ୍କ ବେଂଚ୍ ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି । ତେବେ ମାମଲାର ଚତୁର୍ଥ ଅପରାଧୀ ଅକ୍ଷୟ କୁମାର ସିଂହ ରିଭ୍ୟୁ ପିଟିସନ ଦାୟର କରିନଥିଲେ । ସମସ୍ତ ୪ ଜଣଙ୍କୁ ଦିଲ୍ଲୀ ହାଇକୋର୍ଟ ଫାଶୀଦଣ୍ଡ ଦେଇଥିବା ବେଳେ ୨୦୧୭ ମେ ୫ ତାରିଖରେ ସୁପ୍ରିମକୋର୍ଟ ଏହି ରାୟକୁ କାଏମ ରଖିଥିଲେ । ନିର୍ଭୟାର ବାପା କହିଛନ୍ତି, ଅପରାଧୀଙ୍କୁ ଫାଶୀ ଖଂଟରେ ଝୁଲିବା ଦେଖିଲେ ତାଙ୍କ ଆତ୍ମାକୁ ଶାନ୍ତି ମିଳିବ ।

ଡିସେମ୍ବର ୧୬, ୨୦୧୨ରେ ଦିଲ୍ଲୀରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା । ଚଳନ୍ତା ବସରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରାଯାଇ ଅତି ନିର୍ମମ ଭାବେ ନିର୍ଯାତନା ଦିଆଯାଇଥିଲା । ଏପରିକି ନିର୍ଭୟାଙ୍କୁ ଗାଡି ଚଢାଇ ମାରିବାକୁ ଉଦ୍ୟମ ହୋଇଥିଲା । ନିର୍ଭୟାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ସିଙ୍ଗାପୁର ନିଆଯାଇଥିବାବେଳେ ସେଠାରେ ସେ ପ୍ରାଣ ହରାଇଥିଲେ । ନିର୍ଭୟାକାଣ୍ଡକୁ ନେଇ ଦେଶବ୍ୟ।।ପୀ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ରାସ୍ତାକୁ ବାହାରି ହଜାର ହଜାର ଲୋକ ଏହାର ପ୍ରତିବାଦ କରିଥିଲେ । ୬ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିଲା ଏବଂ ଜଣେ ଅଭିଯୁକ୍ତ ଜେଲରେ ଆତ୍ମହତ୍ୟା କରିଥିଲେ । ଅନ୍ୟ ୪ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ହାଇକୋର୍ଟ । ପରେ ସୁପ୍ରିମକୋର୍ଟ ମଧ୍ୟ ଏହି ଫାଶୀଦଣ୍ଡାଦେଶକୁ କାଏମ ରଖିଥିଲେ ।