ନିର୍ଭୟା ଗଣଦୁଷ୍କର୍ମ ଦୋଷୀ ମୁକେଶକୁ ଶକ୍ତ ଝଟକା : ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ , ଗତକାଲି ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ ।

548

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶ ସିଂହକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଶକ୍ତ ଝଟକା ମିଳିଛି । ମୁକେଶର ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ରାଜକ୍ଷମା ନମିଳିବାରୁ ଏହାକୁ ଚ୍ୟାଲେଞ୍ଜ କରି ମୁକେଶ କରିଥିବା ଆବେଦନ ଉପରେ ଶୁଣାଣି କରି ଗତକାଲି ରାୟ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ । ରାୟ ଆସିବା ପରେ ସନ୍ତୋଷ ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ମାଆ ଆଶା ଦେବୀ ।

ତେବେ ଦୋଷୀ ମାନେ ବାରମ୍ବାର ଆଇନର ଗଳାବାଟ ଦେଇ ଖସି ଯାଉଥିବାରୁ ଏକ ଦୃଢ଼ ଆଇନ ଆଣିବାକୁ ଦାବି କରିଛନ୍ତି ନିର୍ଭୟାଙ୍କ ମା’ । ଜାନୁଆରୀ ୧୭ ରେ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ ରାଷ୍ଟ୍ରପତି । ଅନ୍ୟପଟେ ଫାଶୀରୁ ବଂଚିବା ପାଇଁ ନିର୍ଭୟା ଦୋଷି ଅକ୍ଷୟ ସିଂହ ମଙ୍ଗଳବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିଛି । ଅନ୍ୟତମ ଦୋଷୀ ବିନୟ କୁମାର ମଧ୍ୟ ଦୟା ଆବେଦନ କରିଛି । ତେବେ ନିର୍ଭୟା ଦୋଷୀଙ୍କୁ ଫେବ୍ରୁଆରୀ ପହିଲା ସକାଳ ୬ ଟା ବେଳେ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେଣୁ ଯଦି ଏହି ଦୁଇ ଜଣଙ୍କ ଦୟା ଯାଚିକା କୋର୍ଟ ଖାରଜ କରି ଦିଅନ୍ତି ତେବେ ନିର୍ଦ୍ଧାରିତ ଦିନ ଓ ସମୟରେ ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ ।