ପୁଣି ଘୁଞ୍ଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କଲା ଦୋଷୀ ବିନୟ, ସେପଟେ କ୍ୟୁରେଟିଭ୍ ପିଟିସନ ଦାଖଲ କଲା ଅନ୍ୟତମ ଦୋଷୀ ଅକ୍ଷୟ ଠାକୁର ।

652

କନକ ବ୍ୟୁରୋ : ପୁଣି ଘୁଂଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ଫେବୃଆରୀ ୧ ତାରିଖରେ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ନେଇ ବଢିଲା ଆଶଙ୍କା । ଆଜି ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଛି ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମା । ଗତ ୧୪ ତାରିଖରେ ସୁପ୍ରିମକୋର୍ଟ ବିନୟର କ୍ୟୁରେଟିଭ୍ ପିଟିସନକୁ ଖାରଜ କରିଦେଇଥିଲେ । ଆଜି ବିନୟ ପକ୍ଷରୁ ଆଇନଜୀବୀ ଏପି ସିଂ, ରାଜକ୍ଷମା ଆବେଦନ କରିଛନ୍ତି । ବିନୟ ଶର୍ମା ପକ୍ଷରୁ ରାଜକ୍ଷମା ଆବେଦନ ପରେ ବର୍ତମାନ ତିହାର ଜେଲ୍ କର୍ତୃପକ୍ଷ ତଳକୋର୍ଟକୁ ଏନେଇ ଅବଗତ କରାଇବେ ଏବଂ ଡେଥ୍ ୱାରେଂଟ୍ ଘୁଂଚାଇବାକୁ ଅନୁରୋଧ କରିବେ ।

ସେପଟେ ଫାଶୀରୁ ବଂଚିବା ପାଇଁ ନିର୍ଭୟାକାଣ୍ଡର ଅନ୍ୟତମ ଦୋଷୀ ଅକ୍ଷୟ ସିଂହ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିଛି । ଏହା ଖାରଜ ହେଲେ ସେ ମଧ୍ୟ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିପାରିବ । ଏହାରି ଭିତରେ କିନ୍ତୁ ଆଜି ଅନ୍ୟତମ ଅଭିଯୁକ୍ତ ମୁକେଶ ସିଂହର ଆବେଦନକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ । ରାଜକ୍ଷମା ନମିଳିବାରୁ ଏହାକୁ ଚ୍ୟାଲେଞ୍ଜ କରି ମୁକେଶ କରିଥିବା ଆବେଦନ ଉପରେ ଶୁଣାଣି କରି ଗତକାଲି ରାୟ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ । ଆଜି ଆବେଦନ ଖାରଜ ହୋଇଯାଇଛି ।

ଜାନୁଆରୀ ୧୭ରେ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ ରାଷ୍ଟ୍ରପତି । ନିର୍ଭୟା ଦୋଷୀଙ୍କୁ ଫେବ୍ରୁଆରୀ ପହିଲା ସକାଳ ୬ଟା ବେଳେ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଦିଲ୍ଲୀ ଜେଲ୍ ମାନୁଆଲ ଅନୁସାରେ ଗୋଟିଏ ମାମଲାରେ ଏକାଧିକ ଦୋଷୀ ଥିଲେ ଏବଂ ଜଣକର ରାଜ୍ୟକ୍ଷମା ଆବେଦନ ଫଇସଲା ହୋଇନଥିଲେ ଅନ୍ୟମାନଙ୍କୁ ମଧ୍ୟ ଫାଶୀ ଦିଆଯାଇପାରିବ ନାହିଁ ।