ଫାଶୀ ଖୁଣ୍ଟରେ ଝୁଲିବେ ଅଭିଯୁକ୍ତ : ଝିଅକୁ ମିଳିବ ନ୍ୟାୟ, କୋର୍ଟଙ୍କ ଉପରେ ଭରସା ଅଛି ବୋଲି କହିଲେ ନିର୍ଭୟାଙ୍କ ମା’

515

କନକ ବ୍ୟୁରୋ : ଫାଶୀ ପାଇଁ ରାସ୍ତା ସଫା । ନିର୍ଭୟା ସୈତାନଙ୍କ ମୃତ୍ୟୁ ସୁନିଶ୍ଚିତ । ନ୍ୟାୟ ପାଇବ ନିର୍ଭୟା । କାମ ଦେଲାନି ନରପିଶାଚରଙ୍କ ଚାଲ୍ । ଫାଶୀରେ ଝୁଲିବେ ନିର୍ଭୟା ନରରାକ୍ଷସ । ଫାଶୀ ତାରିଖ ପାଖେଇ ଆସୁଥିବା ବେଳେ ନିର୍ଭୟା ଅଭିଯୁକ୍ତ ମାନେ ଗୋଟିଏ ପରେ ଗୋଟିଏ ପଇଁତରା ଆପଣାଉଥିଲେ । ହେଲେ ଅଭିଯୁକ୍ତଙ୍କ ଆବେଦନକୁ ଗୋଟିଏ ପରେ ଗୋଟିଏ ଖାରଜ କରିଚାଲିଛନ୍ତି ସୁପ୍ରିମକୋର୍ଟ । ଆଜି ମୁକେଶର ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ରାଜକ୍ଷମା ନମିଳିବାରୁ ଏହାକୁ ଚ୍ୟାଲେଞ୍ଜ କରି ମୁକେଶ କରିଥିବା ଆବେଦନ ଉପରେ ଶୁଣାଣି କରି ଗତକାଲି ରାୟ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ ।

ରାୟ ଆସିବା ପରେ ସନ୍ତୋଷ ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ମାଆ । ସେ କହିଛନ୍ତି କୋର୍ଟଙ୍କ ଉପରେ ଭରସା ରହିଛି । ନ୍ୟାୟ ମିଳିବ ବୋଲି ଆଶା କରୁଛି । ଦୋଷୀ ଫାଶୀରେ ଝୁଲିବେ । ଝିଅକୁ ନ୍ୟାୟ ମିଳିବ । ଫେବୃୟାରୀ ୧ ରେ ଦୋଷୀ ଫାଶୀ ପାଇବ ବୋଲି ଆଶା କରାଯାଉଛି । ତେବେ ଦୋଷୀ ମାନେ ବାରମ୍ବାର ଆଇନର ଗଳାବାଟ ଦେଇ ଖସି ଯାଉଥିବାରୁ ଏକ ଦୃଢ଼ ଆଇନ ଆଣିବାକୁ ଦାବି କରିଛନ୍ତି । ଜାନୁଆରୀ ୧୭ରେ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ ରାଷ୍ଟ୍ରପତି ।

ଅନ୍ୟପଟେ ଫାଶୀରୁ ବଂଚିବା ପାଇଁ ନିର୍ଭୟା ଦୋଷି ଅକ୍ଷୟ ସିଂହ ମଙ୍ଗଳବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିଛି । ଅନ୍ୟତମ ଦୋଷୀ ବିନୟ କୁମାର ମଧ୍ୟ ଦୟା ଆବେଦନ କରିଛି । ତେବେ ନିର୍ଭୟା ଦୋଷୀଙ୍କୁ ଫେବ୍ରୁଆରୀ ପହିଲା ସକାଳ ୬ଟା ବେଳେ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେଣୁ ଯଦି ଏହି ଦୁଇ ଜଣଙ୍କ ଦୟା ଯାଚିକା କୋର୍ଟ ଖାରଜ କରି ଦିଅନ୍ତି ତେବେ ନିର୍ଦ୍ଧାରିତ ଦିନ ଓ ସମୟରେ ୪ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ ।