ସିବିଆଇକୁ ଖାତିର କଲେ ନାହିଁ ପିଏନବି ମହାଘୋଟାଲାର ମହାଠକ ନିରଭ ମୋଦି ! କହିଲେ, ବ୍ୟସ୍ତ ଅଛି, ଏବେ ଭାରତ ଯାଇପାରିବି ନାହିଁ

24

କନକ ବ୍ୟୁରୋ : ପିଏନବି ମହାଘୋଟାଲାର ମହାଠକ ନିରଭ ମୋଦି ଏବେ ଖୁବ ବ୍ୟସ୍ତ । ଭାରତ ଆସିବାକୁ ତାଙ୍କ ପାଖରେ ସମୟ ନାହିଁ । ଏଭଳି କଥା ଖୋଦ ନିରଭ କହିଛନ୍ତି । ଭାରତୀୟ ଲୋକମାନଙ୍କ କଷ୍ଟଲବ୍ଧ ଅର୍ଥକୁ ଠକିନେବା ପରେ ଏବେ ଭାରତର ଆଇନକୁ ଚ୍ୟାଲେଞ୍ଜ କରିଛି ମହାଠକ ନିରଭ ମୋଦି । ବାରମ୍ବାର ସମନ ସତ୍ତ୍ୱେ ସିବିଆଇ ଆଗରେ ହାଜର ହେବାକୁ ମନା କରିଦେଇଛି । ତାହାର ଇମେଲ ଆଇଡିକୁ ସିବିଆଇ ପକ୍ଷରୁ ପଠାଯାଇଥିବା ସମନକୁ ମାନିନାହିଁ । ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ ନିରଭ ମୋଦିଙ୍କ ଇମେଲ୍ ଆଇଡିକୁ ଏକ ମେଲ୍ ପଠାଯାଇ ତାଙ୍କୁ ତଦନ୍ତ ପାଇଁ ହାଜିର ହେବାକୁ କୁହାଯାଇଥିଲା । କିନ୍ତୁ ବିଦେଶରେ ବ୍ୟବସାୟିକ କାମ ଅଛି କହି ସେ ଆସିବାକୁ ମନାକରିଦେଇଛି ।

pnb-fraud

ଏହି ଜବାବ ଆସିବା ପରେ ସିବିଆଇ ପକ୍ଷରୁ ତାକୁ ଆଉ ଏକ ମେଲ୍ ଲେଖାଯାଇ ଯଥାଶୀଘ୍ର ନିକଟସ୍ଥ ଭାରତୀୟ ଦୂତାବାସରେ ରିପୋର୍ଟ କରିବାକୁ କୁହାଯାଇଛି । ଏହା ଦ୍ୱାରା ଭାରତ ଫେରିବା ପାଇଁ ବନ୍ଦୋବସ୍ତ କରାଯାଇପାରିବ ।

ସୂଚନାଯୋଗ୍ୟ ଯେ ନିରବ ମୋଦି ଓ ତାଙ୍କ ମାମୁଁ ବହୁ କୋଟି ଟଙ୍କାର ପିଏନବି ଠକେଇ ମାମଲା ଏବେ ୧୨ ହଜାର କୋଟି ଟଙ୍କା ଟପିଯାଇଛି । ପୂର୍ବରୁ ଏହି ଠକେଇ ପରିମାଣ ୧୧,୪୦୦ କୋଟି ଟଙ୍କାର ଥିବାବେଳେ ପିଏନବି ସ୍ୱୀକାର କରିଛି ଯେ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀ ଆଉ କେତେକ ଲେଟର ଅଫ ଅଣ୍ଡରଟେକିଂ (ଏଲଓୟୁ) ମାଧ୍ୟମରେ ଆହୁରି ୧୩ଶହ କୋଟି ଟଙ୍କା ଉଠାଣ କରିଛନ୍ତି । ଫଳରେ ଏହି ଠକେଇର ପରିମାଣ ପ୍ରାୟ ୧୨,୭୦୦ କୋଟି ଟଙ୍କା ଟପିଯାଇଛି । ଏହି ମାମଲାରେ ସିବିଆଇ ଏବେ ମାମୁଁ ଓ ଭଣଜାଙ୍କୁ ଖୋଜୁଛି ।